ସୁଧୁରୁନି ପାକିସ୍ତାନ : ଗୁଳିମାଡ଼ରେ ୨ ବିଏସ୍‌ଏଫ୍‌ ଯବାନ ସହିଦ

26

କନକ ବ୍ୟୁରୋ : ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସପ୍ତାହକ ତଳେ ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ଆଜି ଏହାର ଉଲ୍ଲଂଘନ କରି ଭାରତ ସହ ପ୍ରତାରଣା କରିଛି । ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ପାକିସ୍ତାନ ସେନା ଅଚାନକ ପ୍ରବଳ ଗୁଳିବର୍ଷା କରିବାରୁ ଭାରତର ଏକ ଆଗୁଆ ଘାଟିରେ ମୁତୟନ ଥିବା ବିଏସଏଫର ୨ ଜଣ ସହକାରୀ ସବଇନ୍‌ସ୍ପେକ୍ଟର ସହିଦ ହୋଇଯାଇଛନ୍ତି । ପାକ୍‌ ଗୁଳିମାଡ଼ରେ କାନଛକ ଏବଂ ଖୋର୍‌ରେ ୧୩ ଜଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସପ୍ତାହକର ନୀରବତା ପରେ ଏବେ ଭାରତ-ପାକ୍‌ ଅନ୍ତର୍ଜାତୀୟ ସୀମାରେ ପୁଣି ଭୟଙ୍କର ଉତ୍ତେଜନା ଦେଖାଦେଇଛି । ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଇ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବର୍ଷା କରିଛି ।

ସପ୍ତାହକ ତଳେ ଉଭୟ ଦେଶର ଡିଜିଏମ୍ ଓ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ସଂପୂର୍ଣ୍ଣ ଲାଗୁ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ପାକିସ୍ତାନ ଏ ଦିଗରେ କୌଣସି ସର୍ତ୍ତ ଉଲ୍ଲଂଘନ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲା । ତେବେ ଏହା କେବଳ ପାକିସ୍ତାନର ଏକ ବଡ଼ ଛଳନା ଥିଲା ବୋଲି ଆଜି ପ୍ରମାଣିତ ହୋଇଛି । ବିଏସଏଫ ମହାନିର୍ଦ୍ଦେଶକ ରାମ ଅବତାର କହିଛନ୍ତି ଯେ ଆଜି ପାକିସ୍ତାନ ସେନା ଅନ୍ତର୍ଜାତୀୟ ସୀମାରେ ଅଚାନକ ସ୍ୱୟଂ ଚାଳିତ ବନ୍ଧୁକରୁ ଗୁଳିବର୍ଷା ଆରମ୍ଭ କରିଦେଇଥିଲା । ଅସ୍ତ୍ରବିରତି ବନ୍ଦ ରହିଥିବାରୁ ଏକ ଆଗୁଆ ପୋଷ୍ଟ୍‍ରେ ମୁତୟନ ୨ ଜଣ ଯବାନ ସ୍ୱାଭାବିକ ଭାବେ ସେମାନଙ୍କ କାର୍ଯ୍ୟ କରୁଥିଲେ । ତେଣୁ ପାକିସ୍ତାନ ସେନାର ଅତର୍କିତ ଆକ୍ରମଣକୁ ପ୍ରତିହତ କରିପାରି ନଥିଲେ । ସହିଦ ହୋଇଥିବା ୨ ଯବାନ ହେଲେ ସତ୍ୟ ନାରାୟଣ ଯାଦବ ଏବଂ ବିଜୟ କୁମାର ପାଣ୍ଡେ। ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ପାକିସ୍ତାନର ଏଭଳି ବିଶ୍ୱାସଘାତକତାର କଡ଼ା ଜବାବ ଦିଆଯାଉଛି ବୋଲି ସେ କହିଛନ୍ତି । ଅଖନୁର ସେକ୍ଟରରେ ଭାରତୀୟ ସେନା ପାକିସ୍ତାନକୁ ଆଜି ଅପରାହ୍ନରେ ଭାରୀ ଯୁଦ୍ଧାସ୍ତ୍ରରେ ଜବାବ ଦେଇଛି । ଏଥିରେ ପାକିସ୍ତାନ ପଟେ ବ୍ୟପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି । ତେବେ ପାକିସ୍ତାନ ସେନା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ନିରୀହ ଜନତାଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଭାରତ କେବଳ ପାକ୍‌ ସେନା ପୋଷ୍ଟ ଓ ଘାଟିକୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି ।

ଦୁଇ ସପ୍ତାହ ତଳେ ପ୍ରବଳ ଗୁଳିବର୍ଷା ଯୋଗୁଁ ସୀମାବର୍ତ୍ତୀ ୬୦ରୁ ଅଧିକ ଗ୍ରାମର ପ୍ରାୟ ୪୦ ହଜାର ଲୋକ ସୁରସ୍ଥିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲେ । ନିକଟରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଉଭୟ ରାଷ୍ଟ୍ରର ଆଲୋଚନା ପରେ ଶାନ୍ତି ଫେରିଲା ଭାବି ଗ୍ରାମବାସୀମାନେ ଘରକୁ ଫେରିଥିଲେ ଏବଂ ଏହି ପ୍ରକ୍ରିୟା ଗତକାଲି ହିଁ ଶେଷ ହୋଇଥିଲା । ତେବେ ଆଜି ପାକିସ୍ତାନ ସୀମାନ୍ତ ଗ୍ରାମ ଓ ଆଗୁଆ ପୋଷ୍ଟକୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିବା ପରେ ସୀମା ସ୍ଥିତି ପୁଣି ସାଂଘାତିକ ହୋଇଉଠିଛି । ଆବଶ୍ୟକସ୍ଥଳେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ପ୍ରଶାସନ ଯୋଜନା କରୁଛି ।