ଜମି କଳିରୁ ୨ ଭାଇଙ୍କୁ ନିର୍ମମ ହତ୍ୟା ଘଟଣା ! ଜୟପୁର ସଦର ଥାନାରେ ଆତ୍ମସମର୍ପଣ କଲେ ୪୦ ଗ୍ରାମବାସୀ

27

କନକ ବ୍ୟୁରୋ : ଜୟପୁରରେ ଜମି କଳିରୁ ଜୀବନ ଯିବା ଘଟଣାରେ ୪୦ ଗ୍ରାମବାସୀ ଆତ୍ମସମର୍ପଣ କରିଛନ୍ତି । ଗୋଷ୍ଠୀ ସଂଘର୍ଷରୁ ୨ ଜଣଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସର ଛାନଭିନକୁ ନେଇ ଛାନିଆ ହୋଇଛନ୍ତି ଗାଁ ଲୋକ । ଜୟପୁର ସଦର ଥାନାରେ ଏକକାଳୀନ ଆତ୍ମସମର୍ପଣ କରିଛନ୍ତି ଗାଗନାପୁର ଗାଁ ଲୋକ । ଏପରିକି ଦୁଇଜଣଙ୍କୁ ଗାଁ ଲୋକେ ହତ୍ୟା କରିଥିବା କ୍ୟାମେରା ସାମ୍ନାରେ ସ୍ୱୀକାର କରିଛନ୍ତି । ତେବେ ପୋଲିସର ଗିରଫଦାରୀ ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ ପୋଲିସର କହିବା ହେଲା ଡବଲ ମର୍ଡର ଘଟଣାରେ ପୋଲିସ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରକୃତ ହତ୍ୟାକାରୀଙ୍କୁ ଠାବ କରିବା ଲାଗି ଛାନଭିନ୍ ଚଳାଇଥିବା ସୂଚନା ଦେଇଛନ୍ତି ଜୟପୁର ସଦର ଥାନା ଅଧିକାରୀ ।

ଜାଣନ୍ତୁ କ’ଣ ଥିଲା ପୁରା ଘଟଣା –
ଜୟପୁର ଉପକଣ୍ଠ ଗାଗନାପୁରର ୮ ଏକର ବିବାଦୀୟ ଜମିକୁ କେନ୍ଦ୍ରକରି ଗୋଟିଏ ପରିବାରକୁ ଆକ୍ରମଣ କରିଥିଲେ ଗାଁ ଲୋକ । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜମିଟିକୁ ସଂପୃକ୍ତ ପରିବାର ପୈତୃକ ଜମି ବୋଲି ଦାବି କରି, ଚାଷ କରିବାକୁ ଆସିଥିବାବେଳେ ଏହାର ପ୍ରତିବାଦ କରିଥିଲେ ଗ୍ରାମବାସୀ । କାରଣ ଏହାକୁ ଅନାବାଦୀ ଜମି କହି ଖେଳାଖେଳି କରୁଥିଲେ ଗାଁର ଯୁବକମାନେ ।

ପୂର୍ବରୁ ଏହି ଜମି ବିବାଦରେ ପ୍ରଶାସନ ଓ ପୋଲିସ ଉଭୟ ପକ୍ଷଙ୍କୁ ଜମିଠାରୁ ଦୂରେଇ ରହିବାକୁ ତାଗିଦ କରିଥିଲେ । ତଥାପି ଆଜି ସେହି ପରିବାର ଜମିରେ ପଶିବାରୁ ଏହା ରକ୍ତାକ୍ତ ସଂଘର୍ଷର ରୁପ ନେଇଥିଲା । ଏପରିକି ଗାଁ ଲୋକେ ସମୁହ ଆକ୍ରମଣ କରି ସଂପୃକ୍ତ ପରିବାରର ଦୁଇ ଭାଇଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୋଷ୍ଠୀ ବିବାଦରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଜୟପୁର ସହରରେ ଚାଂଚଲ୍ୟ ଖେଳିଯାଇଛି ।