ଜୀବନ ନେଇଗଲା ଦାମୀ ରେଷ୍ଟୁରାଂଟର ଖାଇବା : ଦୁଇ ଭାଇ ମୃତ, ଡାକ୍ତରଖାନାରେ ମା’

221

ରବିବାର ଅପରାହ୍ଣରେ ପାକିସ୍ତାନର କରାଚି ଠାରେ ଥିବା ଏକ ଦାମୀ ରେଷ୍ଟୁରାଂଟରେ ଖାଇବା ପରେ ଦୁଇ ଜଣ ନାବାଳଙ୍କ ମୃତ୍ୟୁ ହେବାରୁ ପୁଲିସ ତାହାକୁ ସିଲ୍‌ କରିଛି । ପାକିସ୍ତାନ ଗଣମାଧ୍ୟମ କହିବା ଅନୁସାରେ, ଖାଦ୍ୟ ବିଷକ୍ରିୟା କାରଣରୁ ଦୁଇ ନାବାଳକଙ୍କର ମାଆଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

କରାଚିର ଡିଫେନ୍‌ସ୍‌ ହାଉସିଙ୍ଗ୍‌ ଅଥରିଟି ଅଞ୍ଚଳରେ ଥିବା ଆରିଜୋନା ଗ୍ରିଲ୍‌ ରେଷ୍ଟୁରାଂଟ ଡିନର୍‌ ଖାଇବା ପରେ ସେମାନେ ଖାଦ୍ୟ ବିଷକ୍ରିୟା ହୋଇଥିବା ଅଭିଯୋଗ କରିଥିଲେ । ଦୁଇ ନାବାଳକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ସେମାନଙ୍କର ମାଆ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।

ଦୁଇ ନାବାଳକଙ୍କ ଶବ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଡାକ୍ତରଖାନାକୁ ପଠା ଯାଇନାହିଁ । ତେଣୁ ଆନୁଷ୍ଠାନିକ ଭାବେ ମୃତ୍ୟୁର ବାସ୍ତବ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ରେଷ୍ଟୁରାଂଟ ବାହାରେ ପିଲା ଦୁହେଁ କ୍ୟାଣ୍ଡି ଖାଇଥିଲେ ଓ ଘରକୁ ଫେରିବା ପରେ ଦୁଗ୍ଧ ପିଇଥିଲେ । ରେସ୍ତୋରାଁ ଖାଦ୍ୟ, କ୍ୟାଣ୍ଡି କି, ଦୁଗ୍ଧ ଯୋଗୁଁ ଖାଦ୍ୟ ବିଷକ୍ରିୟା ହେଲା, ତାହା ଭଲ ଭାବେ ତଦନ୍ତ କରାଯିବା ଆବଶ୍ୟକ । ସେମାନଙ୍କ ବାନ୍ତିର ନମୁନା ଏବଂ ପୋଷାକରେ ଲାଗିଥିବା ରକ୍ତ ଛିଟା ଫରେନ୍‌ସିକ୍‌ ପରୀକ୍ଷା ପାଇଁ ପଠାଯାଇଛି । ରେସ୍ତୋରାଁ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି ।