ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ସମନ ପାଇଲେ ବିଜେପି ନେତା ! ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ସମନ ପହଞ୍ଚାଇଲା ପୋଲିସ

202

କନକ ବ୍ୟୁରୋ : ସମନ ପାଇଲେ ବିଜେପି ନେତା । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କ ପାଖରେ ସମନ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ବିଜେପିର ଦୁଇ ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ପହଞ୍ଚିଛି ଛତ୍ରପୁର ପୋଲିସର ସମନ ।  ଓଡିଶା ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ଦୁଇ ନେତାଙ୍କ ପାଖରେ ପହଞ୍ଚିଛି ସମନ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସର ସମନ ବିଜେପି ନେତାଙ୍କ ପାଖରେ ପହଞ୍ଚିଥିବା ବେଳେ ବିଜେଡି ନେତାଙ୍କୁ ସିବିଆଇ ଦେଇଥିବା ସମନ କୁଆଡେ ଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ସେହିଦିନ ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ନେତାଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଥିଲା  । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ ଜାରି କରି ଜାନୁଆରୀ ୨୮ ଓ ୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସିବିଆଇ ପକ୍ଷରୁ କୁହାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏନେଇ ବିଜେଡିର ଦୁଇ ନେତା ମୁହଁ ଖୋଲିନଥିବା ବେଳେ ସିବିଆଇ ପକ୍ଷରୁ ଦିଆଯାଇଥିବା ସମନ କୁଆଡେ ଗଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।