ପ୍ରେମକୁ ପ୍ରତ୍ୟାଖାନ ପରେ ପ୍ରତିଶୋଧ : ମା’ କହିଲେ ଆକ୍ରମଣ ପଛର କାହାଣୀ

26

ଗଂଜାମ : ଏସିଡ୍ ମାଡ ପଛରେ ପ୍ରେମ ସମ୍ପର୍କ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ନାବାଳିକାଙ୍କୁ ଏସିଡ୍ ମାଡ ଘଟଣାରେ ସାମ୍ନାକୁ ଆସିଛି ପ୍ରେମ ସମ୍ପର୍କର କାହାଣୀ । ପୀଡିତାଙ୍କ ମାଆ କହିଛନ୍ତି, ବାହା ହୋଇ ବି ନାବାଳିକା ସହ ସମ୍ପର୍କ ରଖିବାକୁ ଚାହୁଁଥିଲା ଅଭିଯୁକ୍ତ । ବିବାହ କରିବାକୁ ଜିଦ୍ ଧରିଥିଲା। ଆଉ ଏଥିରେ ଅମଙ୍ଗ ହେବାରୁ ନାବାଳିକା ଉପରେ କରିଥିଲା ଏସିଡ୍ ମାଡ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ନାବାଳିକାଙ୍କୁ ଏସିଡ ମାଡ ଘଟଣାରେ ପଦାକୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ଅଭିଯୁକ୍ତ ତୋଫାନ ଜଣେ ପେଶାଦାର ଅପରାଧୀ । କିଛି ଦିନ ତଳେ ସେ ସାମିଲ ହୋଇଥିଲା ଲାଲଗଡରେ। ଜେଲ୍ ବି ଯାଇଥିଲା । ଘଟଣା ଦିନ ରାତି ପ୍ରାୟ ୧୨ ଟାରେ ନାବାଳିକାଙ୍କ ଘରେ ପହଁଚିଥିଲା ତୋଫାନ୍। ସାଙ୍ଗରେ ଥିଲେ ଲିପୁନ ଓ ତାର ଆଉ ଦୁଇ ସହଯୋଗୀ । ୨ ଜଣ ଘର ବାହାରେ ଜଗି ରହିଲେ । ଆଉ ଦୁଇ ଜଣ ଘର କବାଟ ଭାଂଗି ଭିତରକୁ ପଶିଲେ। ଶୋଇଥିବା ଅବସ୍ଥାରେ ନାବାଳିକାଙ୍କ ଉପରକୁ ଏସିଡ୍ ଫୋପାଡିଥିଲା ଅଭିଯୁକ୍ତ। ତାପରେ ଫେରାର ହୋଇଯାଇଥିଲେ ସମସ୍ତ ଅଭିଯୁକ୍ତ।

ସେପଟେ ହସପିଟାଲ୍ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନାବାଳିକା ଜଣକ । ଏସିଡ୍ ମାଡରେ ତାଂକ ଶରୀରର ୫୦ ଭାଗ ପୋଡିଯାଇଛି । ଅବସ୍ଥା ଏବେବି ଗୁରୁତର ରହିଛି । ୨୪ ଘଂଟା ନଜର ରଖିଛନ୍ତି ଡାକ୍ତର। କିଛି ସାମାଜିକ ସଂଗଠନ ବି ହସପିଟାଲରେ ପୀଡିତାଙ୍କୁ ଭେଟିଛନ୍ତି।