ସମସ୍ତ ଗ୍ରାହକଙ୍କୁ ଟ୍ୱିଟରର ଉପହାର ! ଏବେ ୧୪୦ ନୁହେଁ ୨୮୦ କ୍ୟାରେକ୍ଟରରେ କରିପାରିବେ ଟ୍ୱିଟ୍

34

ମାଇକ୍ରୋ-ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାତ୍ର ଟ୍ୱିଟ କରିବା ପାଇଁ ଖୁବ୍ କମ୍ ଅକ୍ଷର ସୀମା ରହିଥିବା ହେତୁ ପୂର୍ବରୁ ଏ ନେଇ ଅନେକ ଅଭିଯୋଗ ହୋଇଥିଲା । ବ୍ୟବହାରକାରୀଙ୍କ ସୁବିଧାକୁ ଲକ୍ଷ୍ୟ କରି କମ୍ପାନି ପକ୍ଷରୁ ମଙ୍ଗଳବାର ଟୁଇଟ୍ କରିବାର ଅକ୍ଷର ସୀମା ୧୪୦ରୁ ୨୮୦କୁ ବର୍ଦ୍ଧିତ କରାଯାଇଛି । ମାତ୍ର ଏହି ବର୍ଦ୍ଧିତ ଅକ୍ଷର ସୀମା ଜାପାନ, ଚୀନ ଏବଂ କୋରିଆ ପାଇଁ ଲାଗୁ ହୋଇନାହିଁ । ଏମାନେ ଗୋଟାଏ ଶବ୍ଦରେ ଅନେକ ସୂଚନା ଦେଇ ପାରନ୍ତି ବୋଲି ତାଙ୍କ ପାଇଁ ସୀମା ବଢ଼ାଇବା ଆବଶ୍ୟକ ନୁହେଁ ଚିନ୍ତା କରି କମ୍ପାନି ଏପରି ନିଷ୍ପତ୍ତି ନେଇଛି । ଉଲ୍ଳେଖଯୋଗ୍ୟ, ସେପ୍ଟେମ୍ବରରେ ମାଇକ୍ରୋ-ବ୍ଲଗିଂ ସାଇଟ୍ ଏକ ଛୋଟ ଗ୍ରୁପ୍ ମଧ୍ୟରେ ଅକ୍ଷର ବଢ଼ାଇବା ନେଇ ଏକ ପରୀକ୍ଷଣ କରିଥିଲା ।

ଟୁଇଟର୍ ପକ୍ଷରୁ କୁହାଯାଇଛି ଯେ ଏଣିକି ବ୍ୟବହାରକାରୀ ମାନେ ସେମାନଙ୍କ ଭାବନାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାର ସୁଯୋଗ ପାଇବେ । ବ୍ୟବହାରକାରୀମାନେ ସଂକୋଚ ନ କରି ନିଜ ଭାବନା ବିସୃତ ଭାବେ ଲେଖନ୍ତୁ ବୋଲି ଚିନ୍ତା କରାଯାଇ କମ୍ପାନି ଏପରି ନିଷ୍ପତ୍ତି ନେଇଛି । କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର୍ ଅଲିଜା ରୋସନ କହିଛନ୍ତି, ‘ଏବେ ନୂଆ ନୂଆ ଅକ୍ଷରର ସୀମା ବର୍ଦ୍ଧିତ କରାଯାଇଛି ବୋଲି ବ୍ୟବହାରକାରୀ ଉତ୍ସୁକତାର ସହ କିଛି ଦିନ ୨୮୦ ଅକ୍ଷର ବିଶିଷ୍ଟ ଟୁଇଟ୍ କରିବେ । ମାତ୍ର କିଛି ଦିନ ପରେ ମାତ୍ର ୫% ବ୍ୟବହାରକାରୀଙ୍କୁ ଛାଡ଼ିଲେ ଅନ୍ୟମାନେ ପୂର୍ବ ପରି କ୍ଷୁଦ୍ର ଟୁଇଟ୍ କରିବେ । କାହିଁକି ନାଁ ପରୀକ୍ଷଣ ସମୟରେ ମାତ୍ର ୨% ଲୋକେ ଦୀର୍ଘ ଟୁଇଟ୍ କରିଥିବାର ଦେଖିବାକୁ ମିଳିଥିଲା ।’