ଗୋଟିଏ ବର ଦୁଇଟି କନ୍ୟା । ରାଉରକେଲାରେ ମାତାଲ୍ ବରର ବାହାଘର ଘଟଣାରେ ଆସିଛି ନୂଆ ମୋଡ଼

60

କନକ ବ୍ୟୁରୋ: ଗୋଟିଏ ବର ଦୁଇଟି କନ୍ୟା । ରାଉରକେଲାରେ ମାତାଲ୍ ବରର ବାହାଘର ଘଟଣାରେ ଆସିଛି ନୂଆ ମୋଡ଼ । ବହୁ ବାଦ-ବିବାଦ ପରେ ବାହା ହୋଇଥିବା ଶଙ୍କର ପଣ୍ଡା, ପୂର୍ବରୁ ମଧ୍ୟ ଆଉ ଜଣଙ୍କୁ ବାହା ହୋଇଥିବା ଅଭିଯୋଗ ହୋଇଛି । ଖବର ଦେଖି ଜଣେ ମହିଳା ପହଂଚିଛନ୍ତି ଥାନାରେ । ବଡ କଥା ହେଉଛି-ଏହି ମହିଳା ଜଣକ ଶଙ୍କର ପଣ୍ଡାଙ୍କ ଔରୁସରୁ ବର୍ତମାନ ଗର୍ଭବତୀ ଅଛନ୍ତି ।

ପ୍ରଥମେ ରେଜିଷ୍ଟ୍ରୀ ମ୍ୟାରେଜ ଓ ପରେ ବେଦୀରେ ବାହାଘର । ଏହି ଯୁବତୀଙ୍କ ଅଭିଯୋଗ ୩ବର୍ଷ ଧରି ସଂପର୍କ ରଖିବା ପରେ ବାହା ହୋଇଥିଲା ଶଙ୍କର ପଣ୍ଡା । ହେଲେ ଏବେ ଅନ୍ୟଜଣେ ଝିଅକୁ ବାହା ହେଉଥିବା ଟିଭିରୁ ଦେଖି ସେମାନେ ସିଧା ପହଂଚିଛନ୍ତି ରାଉରକେଲା ଟାଙ୍ଗରପାଲି ଥାନାରେ । ପ୍ରମାଣ ସ୍ୱରୂପ ମ୍ୟାରେଜ ସାର୍ଟିଫିକେଟ ଓ ବାହାଘର ଭିଡିଓ ଦେଖାଇଥିଲେ । ଅଭିଯୋଗ ଆଧାରରେ ଶଙ୍କରଙ୍କୁ ଗିରଫ କରିନେଇଛି ପୋଲିସ ।

ରାଉରକେଲା ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠିଯାଇଥିଲା । ଭାଇ ସହ ମିଶି କନ୍ୟାପକ୍ଷକୁ ମାରଧର କରବାରୁ ବାହା ହେବାକୁ ମନା କରିଦେଇଥିଲେ ମଙ୍ଗୁଳା କନ୍ୟା । ପୋଲିସରେ ଅଭିଯୋଗ ହେବାରୁ ଦୁଇ ପକ୍ଷଙ୍କୁ ବୁଝାସୁଝା କରି ଥାନାରେ ବରଣମାଳା ପକାଯାଇଥିଲା । ହେଲେ ଆଜି କୋର୍ଟରେ ରେଜିଷ୍ଟ୍ରୀ ମ୍ୟାରେଜ ପୂର୍ବରୁ ଧୁର୍ତ ଶଂକର ପଣ୍ଡା ନାଁରେ ଆସିଛି ନୂଆ ଅଭିଯୋଗ । ଏତେସବୁ ଘଟଣା ପାଇଁ ଅଭିଯୁକ୍ତ ଶଙ୍କର ପଣ୍ଡା ବିରୋଧରେ କଠୋର ଶାସ୍ତି ଦାବି କରିଛନ୍ତି ଯୁବତୀ ଓ ତାଙ୍କ ପରିବାର ।

 

ପ୍ରାୟ ଦୁଇମାସ ତଳେ ଜଣଙ୍କୁ ବିବାହ କରି ଅନ୍ତଃସତ୍ୱା କରିବା ପରେ ଧୋକାରେ ଆଉଜଣେ ଝିଅର ଜୀବନ ବରବାଦ କରିବାକୁ ଯାଉଥିଲା ଅଭିଯୁକ୍ତ ଶଙ୍କର ପଣ୍ଡା । ତେଣୁ ଏହି ଧୁର୍ତ ବରକୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଉଭୟ ଝିଅଙ୍କ ପରିବାର ।