କନକ ବ୍ୟୁରୋ : ପୂଜା ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କମିଶନରେଟ ପୋଲିସର କଡା ଆଭିମୁଖ୍ୟ । କଟକ -ଭୁବନେଶ୍ୱର ଦ୍ୱେତ ନଗରୀରେ କୌଣସି ପୂଜା କମିଟି ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଦାବି କଲେ ତୁରନ୍ତ ପୋଲିସକୁ ଜଣାଇବାକୁ କହିଛନ୍ତି କମିଶନର । ଏପରିକି ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ଦିନକୁ ଦିନ ପୂଜା ଆୟୋଜନ ପାଇଁ ଯେଭଳି ପ୍ରତିଯୋଗିତା ଚାଲିଛି, ବିନା ଚାନ୍ଦାରେ ଏହା ସମ୍ଭବ ହେବ କି? ଗୋଟିଏ ଗୋଟିଏ ପୂଜା କମିଟି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥିପାଇଁ ଟଙ୍କା ଆଣିବେ କେଉଁଠୁ? ଆଉ ଟ୍ୱିନ ସିଟି ପୂଜା ଆୟୋଜନରେ ପୋଲିସ କିଭଳି ପାରଦର୍ଶିତା ରକ୍ଷା କରିବ ?

୫ ଅକ୍ଟୋବର ୨୦୧୬ , ସ୍ଥାନ- ଶୁଭମ ମାର୍କେଟ ସାମ୍ନା, ଖାରବେଳ ନଗର । ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ଗତବର୍ଷ ଦୂର୍ଗାପୂଜା ସମୟର ଚିତ୍ର । ଭୁବନେଶ୍ୱର ଖାରବେଳ ନଗର ଥାନା ଶୁଭମ ମାର୍କେଟ ସାମ୍ନାରେ ବ୍ୟବସାୟୀଙ୍କୁ ମାରଧର କରୁଥିଲେପୂଜା କମିଟି ସଦସ୍ୟ । ରସିଦରେ ନିଜ ଇଚ୍ଛା ମୁତାବକ ଚାନ୍ଦା ଲେଖି ଧରାଇଦେବା ପରେ ଜୋରଜବରଦସ୍ତ ଆଦାୟ କରାଯାଉଥିଲା ଟଙ୍କା । ଟ୍ୱିନସିଟିରେ ଏଭଳି ପୂଜା ଚାନ୍ଦା ଆଦାୟକୁ ଚଳିତବର୍ଷ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନେଇଛି କମିଶନରେଟ ପୋଲିସ । ଏପରିକି ଜୋରଜବରଦସ୍ତ ଚାନ୍ଦା ଆଦାୟ ନେଇ ଅଭିଯୋଗ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।

ଗୋଟିଏ ପଟେ ପୂଜା ପାଇଁ ଚାନ୍ଦା ବନ୍ଦ କରିବାକୁ କମିଶନରେଟ ପୋଲିସର କଡା ଆଭିମୁଖ୍ୟ । ଅନ୍ୟପଟରେ ବର୍ତମାନ ସମୟର ପ୍ରତିଯୋଗିତାମୂଳକ ପୂଜା ଆୟୋଜନ । ଆକାଶକୁ ଛୁଉଁଥିବା ବିରାଟ ବିରାଟ ତୋରଣ ସାଙ୍ଗକୁ ଆକର୍ଷଣୀୟ ପୂଜା ପେଣ୍ଡାଲ ଓ ରାତିରାତି ମେଲୋଡି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଏସବୁ ବାବଦକୁ ଖର୍ଚ୍ଚ ହୁଏ ଲକ୍ଷଲକ୍ଷ ଟଙ୍କା । ତୋରଣ ଓ ମଣ୍ଡପ ପ୍ରସ୍ତୁତି ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର । ସବୁଠାରୁ ଅଧିକ ଖର୍ଚ୍ଚ ହୁଏ ମେଢ ବିସର୍ଜନ ସମୟରେ । ଚର୍ଚ୍ଚାହୁଏ ଗୋଟିଏ ଗୋଟିଏ ପୂଜା ମଣ୍ଡପ ପୁରା ପୂଜା ପ୍ରକ୍ରିୟାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତି । ତେଣୁ ପ୍ରଶ୍ନ ଉଠୁଛି ବିନା ଚାନ୍ଦାରେ ସମ୍ଭବ ହୋଇପାରିବ କି ବ୍ୟୟବହୁଳ ପୂଜା ଆୟୋଜନ?

ଗଣେଶ ପୂଜା ସହ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଗଲାଣି ପାର୍ବଣର ମାହୋଲ । ଅଭିଯୋଗ ହେଉଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ସଭ୍ୟ ଚାନ୍ଦା ନାଁରେ ଶିଳ୍ପପତି, ବ୍ୟବସାୟୀ ଏପରିକି ସ୍ଥାନୀୟ ନାଗରିକଙ୍କ ନାଁରେ କାଟି ଦିଆଯିବ ହଜାର ହଜାର ଟଙ୍କାର ରସିଦ । ଅମଙ୍ଗ ହେଲେ ପୂଜା କମିଟି ଆକ୍ରୋଶର ଶିକାର ହେବାକୁ ପଡିବ । ତେଣୁ ଏସବୁ ଉପରେ କିଭଳି ଅଙ୍କୁଶ ଲଗାଇବ କମିଶନରେଟ ପୋଲିସ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ । କଣ ଟ୍ୱିନ ସିଟି ପୂଜା ଆୟୋଜନରେ ପାରଦର୍ଶିତା ରକ୍ଷା କରିପାରିବ ପୋଲିସ?