ମା’ ଙ୍କୁ ମେଲାଣି ! ଦୁଲୁକୁଛି କଟକ, ରାଜଧାନୀ ରାସ୍ତା ରଙ୍ଗୀନ୍

68

କନକ ବ୍ୟୁରୋ : ବିଜୟା ଦଶମୀ ପରେ ଏବେ ମେଲାଣିର ବେଳା । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟୀ । ଆଜି ମା’ଙ୍କ ଭସାଣ ଉତ୍ସବ । ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର । ଦିନ ତମାମ ଚାଲିଛି ମାଙ୍କ ଭସାଣ ପର୍ବ । ଟ୍ୱିନ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭସାଣ ପାଇଁ ଭାଇଚାରାର ସହର କଟକର ଦେବୀଗଡ଼ାରେ ନିର୍ମାଣ କରାଯାଇଛି କୃତ୍ରିମ ପୋଖରୀ ।

ଗତକାଲି ରାତିରୁ ଭସାଣ ଉତ୍ସବ ଆରମ୍ଭ ହୋଇଛି ।ଏପର୍ଯ୍ୟନ୍ତ ୫୦ ରୁ ଅଧିକ ମେଢ ଭସା ସରିଲାଣି । ଆହୁରି ଶହ ଶହ ମେଢ ଧାଡି ବାନ୍ଧି ପଟୁଆରରେ ଅପେକ୍ଷା କରିଛନ୍ତି । ଭସାଣ ଉତ୍ସବ ସମୟରେ ଯାନବାହାନ ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ଆରମ୍ଭ ହୋଇଛି ମାଙ୍କ ଭସାଣ ପର୍ବ । ପୂଜା କମିଟି ପକ୍ଷରୁ ମେଢ ଗୁଡିକ ନାନା ପଟୁଆରରେ ପ୍ରସ୍ତୁତ ହୋଇଛନ୍ତି । ମାଆଙ୍କ ବିସର୍ଜନ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରର କୁଆଖାଇ, ଦୟା, ଭାର୍ଗବୀ କୂଳରେ ତିନୋଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ରାତି ୧୨ଟା ସୁଧା ବିସର୍ଜନ ସାରିବାକୁ ପୂଜା କମିଟି କର୍ମକର୍ତା ମାନଙ୍କୁ କୁହାଯାଇଛି ।

ଏଥିସହ ଭସାଣି ଶୋଭାଯାତ୍ରା ବେଳେ ଡିଜେ ସାଉଣ୍ଡ ୫୮ ଡିସାବିଲ୍ ରହିବ । ସୁରକ୍ଷା ଦୃଷ୍ଟିରୁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତଦାରଖ ଦାୟିତ୍ୱରେ ଅତିରିକ୍ତ ଡିସିପି ରାଙ୍କର ୫ ଅଫିସର, ଏସିପି ଓ ଡିସିପିଙ୍କୁ ମିଶାଇ ୧୨ଜଣ ଅଧିକାରୀ ରହିଛନ୍ତି । ଏହାଛଡା ୨୩ ଜଣ ଇନିସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ମିଶି ୧୨୨ ଜଣ ନିୟୋଜିତ ହୋଇଛନ୍ତି । ଏଥିସହ ଏସ୍ଓଜି, କ୍ୟୁଏଟି, ଆଂଟି ଟେରର ସ୍କ୍ୱାଡ୍ ଓ ସାଧା ପୋଷାକରେ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ।