ସଫଳ ହେଲା ଜଗାବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ ! ଏବେ ସୁସ୍ଥ ଅଛନ୍ତି ଦୁଇ ଶିଶୁ

30

କନକ ବ୍ୟୁରୋ : ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଜଗା-ବଳିଆଙ୍କ ଅପରେସନ୍ ଉପରେ ସାରା ବିଶ୍ୱର ଡାକ୍ତରଙ୍କ ନଜର ରହିଛି । କାରଣ ଏହି ଅପରେସନ୍ ଏକ ବିରଳ ଅପରେସନ୍ । ସୋମବାର ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଅପରସେନ୍ ସରିଥିଲା ମଙ୍ଗଳବାର ଭୋର ୫ଟାରେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ଜଗା-ବଳିଆ ଅଲଗା ଅଲଗା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଡାକ୍ତର କହିଛନ୍ତି- ଅପରେସନ୍ ସଫଳ ହୋଇଛି ।

ପ୍ରଥମେ ଜଗାବଳିଆଙ୍କ ମୁଣ୍ଡ କେତେ ପରିମାଣରେ ଯୋଡ଼ି ହୋଇରହିଛି, ଏବଂ କେଉଁ କେଉଁ ଶିରାପ୍ରଶିରା ଯୋଡ଼ି ହୋଇ ରହିଛି ତାର ଅନୁଧ୍ୟାନ କରାଯାଇଛି । କାରଣ ଦୁଇଟି ପିଲାର ଦୁଇଟି ମସ୍ତିଷ୍କକୁ ଅଲଗା କରିବାକୁ ହେବ । ତେବେ ଯାଇ ଦୁଇ ଜଣଙ୍କୁ ସଂପୂର୍ଣ ଭାବେ ସଫଳତାର ସହ ଅଲଗା କରିହେବ । ପ୍ରଥମ ପର୍ଯ୍ୟାୟ ଅପରେସନ୍ରେ ଏହାକୁ ଅନୁଧ୍ୟାନ କରାଯିବା ସହ ଯେଉଁ ଶିରାପ୍ରଶିରାଗୁଡ଼ିକ ଯୋଡ଼ି ହୋଇ ରହିଥିଲା କିମ୍ବା ଦୁଇଟି ସ୍ଥାନରେ ଗୋଟିଏ ଥିଲା ସେହି ସ୍ଥାନରେ କୃତ୍ରିମ ଭାବେ ତିଆରି ହୋଇଥିବା ଶିରାପ୍ରଶିରା ରୋପଣ କରାଯାଇଛି । ତେଣୁ ଦୁଇଟି ମୁଣ୍ଡକୁ ଅଲଗା କରିବାର ଏହି ମିଶନ୍ ବେଶ୍ ଆଗକୁ ବଢ଼ିଛି ।

ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ଏମ୍ସର ଏକ ଅପରେସନ୍ ଥିଏଟରକୁ ଆଇସିୟୁରେ ପରିଣତ କରି ଜଗାବଳିଆଙ୍କୁ ରଖାଯାଇଛି । ବୁଧବାର ସଂଧ୍ୟାରେ କିମ୍ବା ଗୁରୁବାର ସକାଳେ ସେମାନଙ୍କୁ ଆସିୟୁରୁ ବାହାରକୁ ଅଣାଯିବ । ପ୍ରାୟ ଦେଢ଼ ମାସରେ ଦ୍ୱିତୀୟ ପର୍ଯାୟ ଅପରେସନ୍ ହେବ । ଏହି ପର୍ଯ୍ୟାୟ କିମ୍ବା ତୃତୀୟ ପର୍ଯ୍ୟାୟରେ ଜଗାବଳିଆଙ୍କ ମୁଂଡ ଅଲଗା କରାଯିବ । ଏଥିରେ ଆମେରିକାର ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ଜଣାପଡ଼ିଛି ।

କନ୍ଧମାଳର ଏହି ଯୋଡ଼ାମୁଂଡ ଶିଶୁ ଜଗାବଳିଆର କାହାଣୀ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । ସମସ୍ତେ ଆଶା ରଖିଛନ୍ତି ଏକ ଦୁଃସ୍ଥ ଓ ଗରିବ ପରିବାରର ଜଗା-ବଳିଆ ଅଲଗା ହୋଇ ଘରକୁ ଫେରିବେ ।