ଭୁବନେଶ୍ୱରରେ ଯନ୍ତ୍ର ସାଜିଛି ଟ୍ରାଫିକ ଜଗୁଆଳି । ରୁପାଲୀ ଛକରେ ଲାଗିଲା ପ୍ରଥମ ଟିଭିଡିଏସ କ୍ୟାମେରା, ନିୟମ ଭାଙ୍ଗି କ୍ୟାମେରାରେ ଧରାପଡିବାରୁ ୪ଜଣଙ୍କୁ କଟାଗଲା ଚାଲାଣ ।

267

କନକ ବ୍ୟୁରୋ : ଏଣିକି ନିୟମ ଉଲଂଘନକାରୀଙ୍କୁ ଧରିବ କ୍ୟାମେରା । ଯାଂଚ ବେଳେ ଖସିଗଲେ ବି ନିସ୍ତାର ନାହିଁ । କାରଣ ଆପଣଙ୍କ ଉପରେ ନଜର ରଖିଛି କ୍ୟାମେରା । ଏହି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ମେସିନ୍ ଚାଲଣ କାଟିବ ଏବଂ ଏହାକୁ ଡାକ୍ ଯୋଗେ ଗାଡ଼ି ଚାଳକଙ୍କ ନିକଟକୁ ପଠାଯିବ ।

ପ୍ରଥମେ ରାଜଧାନୀର ରୁୁପାଲୀ ଛକରେ ଲାଗିଲା ଟ୍ରାଫିକ୍ ଭାଓଲେସନ୍ ଡିଟେକସନ୍ ସିଷ୍ଟମ ବା ଟିଭିଡିଏସ୍ । ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଜଗିବ ଏହି ଅତ୍ୟାଧୁନିକ ଯନ୍ତ୍ର । ପୋଲିସ ନଜରରୁ ଖସିଗଲେ ଟିଭିଡିଏସ୍ କ୍ୟାମେରା ଆପଣଙ୍କ ଗାଡ଼ି ନମ୍ବର ରେକର୍ଡ କରିବ । ଆଉ ଆପଣଙ୍କ ନାଁରେ କଟିଯିବ ଜରିମାନା ଚାଲାଣ । ଏହାକୁ ଡାକ ମାଧ୍ୟମରେ ଘରକୁ ପଠାଇ ଦିଆଯିବ ।

ରୁପାଲି ଛକରେ ସ୍ୱଂୟଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା ହେବା ପରେ କମିସନରେଟ୍ ପୋଲିସ ୩୬ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି । ଏବେ ଆସନ୍ତୁ ନଜର ପକାଇବା କାହା ପାଇଁ କେତେ ଜରିମାନା ।

ମଦ ପିଇ ଗାଡି ଚାଳନା – ୧୦ ହଜାର ଟଙ୍କା
ଦ୍ରୁତଗତି – ୫ ହଜାର ଟଙ୍କା
ଗାଡି ଚଳାଇବା ବେଳେ ଫୋନ ବ୍ୟବହାର – ୫ ହଜାର ଟଙ୍କା
ବିପଦଜନକ ଚାଳନା – ୫ ହଜାର ଟଙ୍କା
ଟ୍ରାଫିକର ବିପରୀତ ଦିଗରେ – ୫ ଶହ ଟଙ୍କା
ହେଲମେଟ ନପିନ୍ଧିଲେ ବା ସିଟ୍ବେଲ୍ଟ ନବାନ୍ଧିଲେ – ୧ ହଜାର ଟଙ୍କା
ବାଇକରେ ତିନିଜଣ ବସିଲେ – ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ମଦୁଆ ଗାଡ଼ି ଚାଳକ କେବଳ ଜରିମାନା ଦେବେନାହିଁ, ତାଙ୍କୁ ଗିରଫ କରାଯାଇ କୋର୍ଟଚାଲଣ ମଧ୍ୟ କରାଯିବ । ଗୋଟିଏ ପଟେ ଟ୍ରାଫିକ ଯାଂଚ କଡ଼ାକଡ଼ି ହୋଇଥିବା ବେଳେ ଅନ୍ୟପଟେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ ମଧ୍ୟ କରିଛି ପୋଲିସ ।