ବଢୁଛି ଚିନ୍ତା, ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା ! ବଢିବ କାର ଓ ଟିଭି ଦାମ୍ ।

50

ତେଲ ଦରକୁ ନେଇ ଚିନ୍ତିତ ହୋଇଥିବା ଲୋକମାନଙ୍କର ସମସ୍ୟା ଆହୁରି ବଢ଼ିବ । ସେମାନଙ୍କୁ ଆହୁରି ଅନେକ ସାମଗ୍ରୀ କିଣିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ । କାର୍, ଟିଭି ଓ ଆମଦାନି ହେଉଥିବା ସବୁ ପ୍ରକାର ଉତ୍ପାଦ ପାଇଁ ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଏହାର ମୁଖ୍ୟ କାରଣ ହେଉଛି ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି । ବିଗତ ଦୁଇ ମାସ ହେଲାଣି ଟଙ୍କା ମୂଲ୍ୟ ଡଲାର ତୁଳନାରେ ୬୭-୬୮ ଟଙ୍କାରୁ ଅଧିକ ରହୁଛି । ଏଭଳି ପରିସ୍ଥିତି ତେଲ ସମେତ ଅନ୍ୟ ସବୁ ପ୍ରକାର ସାମଗ୍ରୀର ଆମଦାନି ମହଙ୍ଗା ହୋଇଛି । ଦୀର୍ଘ ଦିନ ଧରି ଟଙ୍କା ଏଭଳି ଦୁର୍ବଳ ସ୍ତରରେ ରହିଥିବାରୁ କଂପାନିଗୁଡ଼ିକର ଆମଦାନି ଖର୍ଚ ବହୁତ ବଢ଼ିଗଲାଣି । ସେହି ଖର୍ଚକୁ ଭରଣା କରିବା ପାଇଁ ସେମାନେ ନିଜ ଉତ୍ପାଦିତ ସାମଗ୍ରୀର ଦାମ୍ ବଢ଼ାଇବା ଉପରେ ବିଚାର କରୁଛନ୍ତି ।

କିଛି ଦିନ ତଳେ ଜିଏସଟି ପରିଷଦ ପକ୍ଷରୁ ଟିଭି, ଫ୍ରିଜ୍ ଆଦି ୧୦୦ରୁ ଅଧିକ ସାମଗ୍ରୀ ଉପରେ ଟିକସ ପରିମାଣ ହ୍ରାସ କରାଯାଇଥିଲା । ଏହାକୁ ନେଇ ଲୋକମାନେ ବହୁତ ଖୁସି ହୋଇଯାଇଥିଲେ । ସେମାନଙ୍କ ଖୁସି ବେଶି ଦିନ ରହିବ ନାହିଁ । କାରଣ ଟିକସ ହ୍ରାସ ଯୋଗୁଁ ଯେଉଁ ଲାଭ ମିଳିବାର ଥିଲା ତାହାକୁ ଟଙ୍କା ଧୋଇ ନେବ । ଆଜି ମୁଦ୍ରା ବିନିମୟ ବଜାରରେ ଡଲାରର ମୂଲ୍ୟ ୬୮ ଟଙ୍କା ୭୯ ପଇସା ରହିଛି । ଏସିଆର ଯେତେ ସବୁ ଦେଶ ରହିଛି ସେମାନଙ୍କ ମଧ୍ୟରୁ ଭାରତୀୟ ଟଙ୍କାର ପ୍ରଦର୍ଶନ ଡଲାର ତୁଳନାରେ ସବୁଠୁ ଖରାପ ରହିଛି । ନିକଟ ଭବିଷ୍ୟତରେ ଏହି ସ୍ଥିତିରେ ସୁଧାର ହେବାର ବହୁତ କମ୍ ସମ୍ଭାବନା ରହିଛି ।

ମାରୁତି ସୁଜୁକି, ଅଡି, ମର୍ସିଡିସ୍-ବେଞ୍ଜ୍ ଭଳି କଂପାନି ନିଜ କାରର ଦାମ୍ ବଢ଼ାଇବା ଉପରେ ବିଚାର କରୁଛନ୍ତି । ସେହିପରି ପାନାସୋନିକ୍, ସୋନି ଓ ଥମସନ୍ ଟିଭି ପକ୍ଷରୁ ଟିଭି ଦର ବଢ଼ାଇବା ଉପରେ ବିଚାର କରାଯାଉଛି । ଖୁବଶୀଘ୍ର ଏହି କଂପାନିଗୁଡ଼ିକ ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଦେଶରେ ଉତ୍ପାଦିତ ହେଉଥିବା ଗାଡ଼ି ଓ ଟିଭି କିମ୍ବା ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଅଧିକାଂଶ କଞ୍ଚାମାଲ୍ ଦେଶ ଭିତରେ ଥିବା ବ୍ୟବସାୟୀଙ୍କଠାରୁ ସଂଗ୍ରହ କରାଯାଉଛି । କିନ୍ତୁ ଏବେବି ଏଭଳି ଅନେକ ଉତ୍ପାଦ ରହିଛି ଯାହାକୁ ଆମଦାନି କରିବାକୁ କାର୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତାମାନେ ବାଧ୍ୟ ହେଉଛନ୍ତି । ଆମଦାନି ପାଇଁ କଂପାନିଗୁଡ଼ିକୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି । ତାହାର ପ୍ରଭାବ ସେମାନେ ଉତ୍ପାଦନ କରୁଥିବା ସାମଗ୍ରୀଗୁଡ଼ିକର ଖୁଚୁରା ମୂଲ୍ୟ ଉପରେ ପଡ଼ିବ । ତେବେ କେଉଁ ସାମଗ୍ରୀ ଦର କେତେ ବଢ଼ିବ ତାହା ଜଣାପଡ଼ିନାହିଁ ।