ଟ୍ୟୁସନ ସାର୍‌ଙ୍କୁ ଛାଟ ! ୧୧୧ ଜଣ ଅଧ୍ୟାପକଙ୍କ ତାଲିକା ଭାଇରାଲ, ଅଧ୍ୟାପକ ଛାନିଆ, ସ୍ପଷ୍ଟ କଲାନି ଉଚ୍ଚଶିକ୍ଷା ବିଭାଗ ।

466

କନକ ବ୍ୟୁରୋ : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ପାଠପଢ଼ାଇବା ସହ ଟ୍ୟୁସନ କରୁଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପ୍ରଥମେ କାରଣଦର୍ଶାଅ ନୋଟିସ୍‌ ପଠାଯିବ । ୭ ଦିନ ମଧ୍ୟରେ ସଠିକ୍‌ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନାଲିଆଖି ପରେ ଏଭଳି ୧୧୧ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ତାଲିକା ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ । ତାଲିକାରେ ଯେଉଁମାନେ ରହିଛନ୍ତି ସେମାନେ କଲେଜରେ ପିଲାଙ୍କୁ ପଢ଼ାଇବା ସହ ଟ୍ୟୁସନ ଓ କୋଚିଂ ସେଣ୍ଟରରେ ବି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ଏମିତିକି କଲେଜ ସମୟରେ ସେମାନେ କୋଚିଂ ‌ସେଣ୍ଟର ଯାଉଛନ୍ତି । ଅଧ୍ୟାପକ ଭାବେ ସରକାରଙ୍କଠାରୁ ମାସକୁ ମାସ ମୋଟା ଅଙ୍କର ଦରମା ପାଉଥିବା ବେଳେ କୋଚିଂ ସେଣ୍ଟରରୁ ବି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି ।

ଏନେଇ ଆଜି ଦିନତମାମ ସୋସିଆଲ୍‌ ମିଡିଆରେ ୧୧୧ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ତାଲିକା ବୁଲୁଛି । ଏଥିରେ ରାଜ୍ୟର ନାମକରା କଲେଜ ଗୁଡ଼ିକର ଅଧ୍ୟାପକଙ୍କ ନାମ ବି ରହିଛି । ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ କଲେଜ, ଏକାମ୍ର କଲେଜ, ରାଜଧାନୀ କଲେଜର ଅଧ୍ୟାପକଙ୍କ ନାଁ ରହିଛି । ଏଥିସହ ଖୋର୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ କଲେଜ, ରେଭେନ୍ସା ମହାବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ପୁରୀସ୍ଥିତ ଏସ୍‌ସିଏସ୍‌ କଲେଜର କିଛି ଅଧ୍ୟାପକ/ଅଧ୍ୟାପିକାଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି । ଯେଉଁମାନେ କି ପଦାର୍ଥ ବିଜ୍ଞାନ, ଇଂରାଜୀ, ଗଣିତ, ବାଣିଜ୍ୟ, ଅର୍ଥନୀତି, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ଶିକ୍ଷାଦାନ କରୁଛନ୍ତି । ଏହି ତାଲିକା ଭାଇରାଲ ହେବା ପରେ ଅଧ୍ୟାପକଙ୍କ ମଧ୍ୟରେ ଛନକା ପଶିଛି । ତାଲିକାରେ ତାଙ୍କ ନାଁ ରହିଛି କି ନାହିଁ ଦେଖିବା ପାଇଁ ରାଜ୍ୟର ସବୁ କଲେଜ କ୍ୟାମ୍ପସରେ ଅଧ୍ୟାପକ ଛାନିଆ ହୋଇପଡ଼ିଥିଲେ ।

ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ତାଲିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧ୍ୟାପକମାନେ ଟ୍ୟୁସନ କିମ୍ବା କୋଚିଂ ‌ସେଣ୍ଟର ଯାଇପାରିବେ ନାହିଁ ବୋଲି ଆଗରୁ ‌ବିଜ୍ଞପ୍ତି ଜାରି ହୋଇଛି । ଅଧ୍ୟାପକମାନେ ମଧ୍ୟ ଏନେଇ ଅଣ୍ଡରଟେକିଂ ଲେଖି ଦେଇଛନ୍ତି । ତା’ପରେ ବି ଯଦି କୌଣସି ଅଧ୍ୟାପକ ଟ୍ୟୁସନ କରୁଥିବା ଆମ ନଜରକୁ ଆସିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଅବମାନନା କରିବେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ । ଆଜି ଯେଉଁ ତାଲିକା ଭାଇରାଲ୍‌ ହୋଇଛି ସେଥିରେ ସତ୍ୟତା ରହିଛି କି ନାହିଁ ଆମେ କହିପାରିବୁ ନାହିଁ ।