କୋରାପୁଟରେ ପାହାଡ ଧସିବା ଘଟଣା: ୭ ଦିନ ପରେ ଉଦ୍ଧାର ପାଇଁ ସେନାର ସହାୟତା ଲୋଡିଲା ପ୍ରଶାସନ, କନକ ନ୍ୟୁଜ ହାତରେ ଲାଗିଲା ଚାଂଚଲ୍ୟକର ଚିଠି

45

କନକ ବ୍ୟୁରୋ: ବଡବଡ ମେସିନ ଫେଲ ମାରିବା ପରେ ଏବେ ପଥର ବ୍ଲାଷ୍ଟିଂ ପାଇଁ ଯୋଜନା କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ । ରାଣୀଗଡ ନିକଟରେ ପାହାଡ ତଳେ ଚପି ରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଏହି ବିକଳ୍ପ ଉପରେ କାମ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏନଏମଡିସିର ଟିମ ପଥର ବ୍ଲାଷ୍ଟିଂ କରିବେ । ବଡବଡ ପ୍ରୋକଲିନ ମେସିନରେ ଏହି ପଥର ଖଣ୍ଡକୁ ହଟାଯିବ । ତେବେ ପ୍ରଶାସନର ସବୁ ଉଦ୍ୟମ ଫେଲ ମାରିବା ପରେ ଏବେ ସେନାର ସହାୟତା ମଗାଯାଇଛି । ସେପଟେ ବେଆଇନ ଖନନ ନେଇ ଉପଜିଲ୍ଲାପାଳ ଏତଲା ପାଇଁ ଚିଠି ଲେଖିଥିଲେ ବି କିଭଳି ଏହାକୁ ଅଣଦେଖା କରାଯାଇଥିଲା ସେନେଇ ପଢନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ ।

ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ ଏହି ଚିଠି ସଂପର୍କରେ । ଯାହାକୁ ଗତ ଏପ୍ରିଲ ୨୩ ତାରିଖରେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଲେଖାଯାଇଛି । ଏହି ଚିଠି ହିଁ ବୟାନ କରୁଛି ଯେ ରାଣୀଗଡ ଗାଁ ଓ ତେଲେଙ୍ଗିରି ପ୍ରକଳ୍ପ ମଝିରେ ଚାଲିଥିବା ଏହି ଖନନ ସମ୍ପୂର୍ଣ୍ଣ ବେଆଇନ । ଏନେଇ କିଛି ଲୋକଙ୍କ ବିରୋଧରେ ମାମଲା ଦାୟାର କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଏତଲାରେ ଉଲ୍ଲେଖ କରିଛି । ୨ଟି ଜେସିବି ଓ ଗୋଟିଏ କଂପ୍ରେସର ମେସିନକୁ ସିଜ କରିବା ପାଇଁ ଅନୁରୋଧ କରାଯାଇଛି । ହେଲେ ଜିଲ୍ଲା ପ୍ରଶାସନର ଏହି ସୂଚନା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଯେଉଁଥିପାଇଁ ଏତେବଡ ଦୁର୍ଘଟଣା ଘଟିଲା । ଆଉ ପଥର ତଳେ ଫିସଗଲେ ଦୁଇଜଣ ଜେସିବି ଅପରେଟର ।

ସେପଟେ ପଥର ତଳେ ଚପିିରହିଥିବା ଅପରେଟରଙ୍କୁ ଉଦ୍ଧାର ପାଇଁ ଲାଗିଥିବା ବଡବଡ ମେସିନକୁ ଏଯାଏଁ କୌଣସି ସଫଳତା ମିଳିନାହିଁ । ଆଉ ମିଳିଥିବା ସୂଚନା ଅନୁସାରେ ପ୍ରଶାସନ ହାତ ଟେକି ଦେଇଛି । ତେଣୁ ଏବେ ଗୋଟିଏ ମାତ୍ର ବିକଳ୍ପ ଉପରେ ଚିନ୍ତା କରାଯାଉଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏନଏମଡିସିରୁ ଏକ ଟିମ୍ ଆସି ପଥର ବ୍ଲାଷ୍ଟିଂ କରିବା ପରେ ପ୍ରୋକଲିନ ମେସିନ ଜରିଆରେ ପଥର ହଟାଯିବ । ସେହିପରି ସେନାର ଏକ ଟିମ ମଧ୍ୟ ପହଂଚିବ । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ସାଂସଦ ଝିନ୍ନ ହିକ୍କା ।

ତେବେ ଏହିସବୁ ଘଟଣାକୁ ତର୍ଜମା କଲେ ଅନେକ ପ୍ରଶ୍ନ ଉଠୁଛି..

– ଡ୍ୟାମ ଠାରୁ ମାତ୍ର ୫୦୦ ମିଟର ଦୂରରେ କେମିତି ଚାଲିଥିଲା ପଥର ଖନନ?

– ବ୍ଲାଷ୍ଟିଂ ସମ୍ପୂର୍ଣ୍ଣ ନିଷେଧ ହୋଇଥିବାବେଳେ କାହା ନିର୍ଦ୍ଦେଶରେ କାମ ଚାଲିଥିଲା?

– ଉପଜିଲ୍ଲାପାଳ ବେଆଇନ ଖନନ ନେଇ ରିପୋର୍ଟ ଦେବା ପରେ ବି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କାହିଁକି?

– ଡିଡି ବିଲଡର ମୁଖ୍ୟ ଡମ୍ବରୁଧର ଅଗ୍ରୱାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି?