ପୋଲିସ ବାବୁଙ୍କର ବଦଳି ହେଲା, ତା’ପରେ ସେଲଫି ପଛର ସତ ସାମ୍ନାକୁ ଆସିଲା ।

864

କନକ ବ୍ୟୁରୋ : ଜଣେ ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇ ଅଡୁଆରେ ପଡିଗଲେ ପୋଲିସ ବାବୁ । ସ୍ଥିତି ଏପରି ହେଲା ଯେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଉପରିସ୍ଥ ଅଧିକାରୀ । କିନ୍ତୁ ସେଲଫି ପଛର ସତ ଥିଲା କିଛି ଅଲଗା ।

ସେଲଫି ପଛର ସତ କଣ ? ଫଟୋରେ ଅଛନ୍ତି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା । ତାଙ୍କ ଡାହାଣ ପାଖରେ ଚଷମା ପିନ୍ଧି ବସିଛନ୍ତି ଜଣେ ହତ୍ୟା ଅଭିଯୁକ୍ତ । ଫଟୋରୁ ଜଣାପଡୁଛି ସେଲଫି ଉଠାଇଛନ୍ତି ପୋଲିସ ଅଧିକାରୀ ଜଣଙ୍କ । ଆଉ ଏହି ସେଲଫି ପୋଲିସ ବାବୁଙ୍କ ଅଡୁଆ ବଢାଇ ଦେଇଛି । ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇବା ଘଟଣା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ ।

ପୋଲିସ ଅଧିକାରୀ ଜଣଙ୍କ ସେଲଫି ଉଠାଇଥିବା ହତ୍ୟା ଅଭିଯୁକ୍ତ ଜଣଙ୍କ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳିସାହିରେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତ । ଗତ ୬ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ଧରା ନହେବା ନେଇ ଗ୍ରାମବାସୀ ଥାନା ଘେରାଉ କରିବାକୁ ଯୋଜନା କରିଥିଲେ । କିନ୍ତୁ ଏପଟେ ଆଇଆଇସି ବୁଲୁ ମୁଣ୍ଡା ଅଭିଯୁକ୍ତକୁ ଧରିସାରିଥିଲେ । ଏହାର ପ୍ରମାଣ ଦେବାପାଇଁ ଏହି ସେଲଫି ଉଠାଇଥିଲେ ବୁଲୁ ମୁଣ୍ଡା । କାରଣ ଗାଁ ଲୋକେ ତାକୁ ଧରାହୋଇଛି ବୋଲି ବିଶ୍ୱାସ କରୁନଥିଲେ ।

ଜଣେ ହତ୍ୟା ଅଭିଯୁକ୍ତ ସହ ପୋଲିସ ବାବୁଙ୍କ ଫଟୋକୁ ନେଇ ବିବାଦ ହେବା ପରେ ଏବେ ପଦାକୁ ଆସିଛି ସେଲଫି ପଛର ସତ । ଆଉ ଜଣାପଡିଛି ମଉଜ ପାଇଁ ଏହି ସେଲଫି ଉଠାଇନଥିଲେ ପୋଲିସ ବାବୁ ।