ଆମେରିକା : ଇସଲାମିକ୍ ନାଗରିକଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟକଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା

23

କନକ ବ୍ୟୁରୋ : ଆମେରିକାରେ ଇସଲାମିକ୍ ନାଗରିକଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟକଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା । ଶରଣାର୍ଥୀଙ୍କ ସହ ପ୍ରବାସୀ ନାଗରିକ ଓ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଥିବାରୁ ଏହାକୁ ନେଇ କୂଟନୈତିକ ସ୍ତରରେ ପ୍ରତିକ୍ରିୟା ଦେଖାଦେଇଛି । ଟ୍ରମ୍ପଙ୍କ ଏହି ଘୋଷଣା ଇସଲାମିକ ରାଷ୍ଟ୍ରଙ୍କ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା ବୋଲି ଇରାକ କହିଛି । ସେହିପରି ଭିସା ବନ୍ଦ ପରେ ବିଭିନ୍ନ କମ୍ପାନୀ ସେହି ରାଷ୍ଟ୍ରରୁ ଆସୁଥିବା ନାଗରିକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିଦେଇଛନ୍ତି ।

ଇରାକ୍, ଇରାନ୍, ସିରିଆ, ଲିବ୍ୟା, ସୋମାଲିଆ,ସୁଦାନ ଓ ୟେମେନ ପରି ଦେଶର ନାଗରିକଙ୍କୁ ଆମେରିକା ଆସିବା ମନା । ଆମେରିକାରେ ଶରଣାର୍ଥୀଙ୍କ ଆଗମନକୁ ବାତିଲ କରିବା ସହ ଯୁଦ୍ଧଗ୍ରସ୍ତ ମଧ୍ୟ ପ୍ରାଚ୍ୟର ମୁସଲିମଙ୍କ ପ୍ରବେଶ କଟକଣା ନିର୍ଦ୍ଦେଶନାମାରେ ସ୍ୱାକ୍ଷରିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରଂପଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନ ନାଗରିକଙ୍କୁ କଡା ଯାଂଚ ପରେ ଆମେରିକାରେ ପ୍ରବେଶ କରିପାରିବେ । ଆମେରିକାରେ ଇସଲାମିକ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ଏହି ପଦକ୍ଷେପ ନେଇଥିବା କହିଛନ୍ତି ଟ୍ରମ୍ପ ।