କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ବୟାନକୁ ନେଇ ସଂସଦରେ ଝଡ । ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ମଧ୍ୟସ୍ଥତା ନେଇ ଉଠୁନି ପ୍ରଶ୍ନ । ସେପଟେ ମୋଦିଙ୍କ ଉତ୍ତର ମାଗିଲେ ବିରୋଧୀ ।

207

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ବୟାନ ପ୍ରସଙ୍ଗରେ ଆଜି ବି ଗୃହରେ ହଙ୍ଗାମା ହୋଇଛି । ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମାଗିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୟାନ ଦେଇ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ ।

ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ସଂସଦରେ ଝଡ । କାଶ୍ମୀର ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ବିବାଦୀୟ ବୟାନକୁ ନେଇ ଉଭୟ ଗୃହରେ ପ୍ରବଳ ହଙ୍ଗାମା କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ରାଜ୍ୟସଭାରେ ପୂର୍ବରୁ ବୟାନ ରଖିସାରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏପରିକି ବୈଦେଶିକ ବ୍ୟାପାର ବିଭାଗ ମୁଖ୍ୟପାତ୍ର ରବିଶ କୁମାର ବୟାନ ଜାରି କରିସାରିଛନ୍ତି । କିନ୍ତୁ ବିରୋଧୀ ମାନିବାକୁ ନାରାଜ । ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତିି ।

ପ୍ରବଳ ହଙ୍ଗାମା ଓ ବିରୋଧୀଙ୍କ ଜୋରଦାର ଦାବି ପରେ ଲୋକସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଶିମଳା ରାଜିନାମାର ବିରୁଦ୍ଧାଚରଣ କରୁଥିବାରୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ । ଏବଂ ଏନେଇ ବିଦେଶ ମନ୍ତ୍ରୀ ମଧ୍ୟ ଜବାବ ରଖିସାରିଛନ୍ତି ବୋଲି ରାଜନାଥ କହିଛନ୍ତି ।

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ସିମଲା ଚୁକ୍ତି ଓ ଲାହୋର ଘୋଣଷାନାମା ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ସମେତ ଯେକୌଣସି ବିବାଦର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହେବ । ଏଥିରେ କୌଣସି ତୃତୀୟ ପକ୍ଷରୁ ମଧ୍ୟସ୍ଥତା ଭାରତ ପାଇଁ ଗ୍ରହଣୀୟ ନୁହେଁ । ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ଏ ବାବଦରେ କୌଣସି ଅନୁରୋଧ କରିନାହାନ୍ତି । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କାଶ୍ମୀର ପ୍ରସଙ୍ଗରେ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ସ୍ପଷ୍ଟୀକରଣ ରଖୁନାହାନ୍ତି ବୋଲି ଅଧିର ରଂଜନ ଚୌଧୁରୀ କହିଛନ୍ତି ।

ଭାରତ-ପାକିସ୍ତାନ ଓ କାଶ୍ମୀରକୁ ନେଇ ଗତ ୭୦ ବର୍ଷ ଭିତରେ ଯାହା ଘଟିନଥିଲା, ଆମେରିକାରେ ସେଭଳି ଏକ ଘଟଣା ଘଟିଲା । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କୁଆଡେ ମୋଦି ଅନୁରୋଧ କରିଥିଲେ ବୋଲି ସେ କହିଥିଲେ । ଏବଂ ସେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ସ୍ୱାଧୀନତା ପରଠାରୁ ଭାରତ, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ମନା କରିଆସୁଛି । କିନ୍ତୁ ହଠାତ୍ ଟ୍ରମ୍ପଙ୍କ ବୟାନ ଭାରତୀୟ ରାଜନୀତିକୁ ଦୋହଲାଇଦେଇଛି ।