ଆତଙ୍କବାଦୀ ବାଗଦାଦୀ ମୃତ୍ୟୁର ଅସଲ ହିରୋ । ମୃତ୍ୟୁର ସୌଦାଗରକୁ ଠାବ କରିଥିଲା ଏହି କୁକୁର, ଟ୍ୱିଟ୍ କରି ଫଟୋ ପୋଷ୍ଟ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

809

କନକ ବ୍ୟୁରୋ : ସାମ୍ନାକୁ ଆସିଛି ମୃତ୍ୟୁର ସୌଦାଗର ଆତଙ୍କବାଦୀ ବାଗଦାଦୀ ମୃତ୍ୟୁର ଅସଲ ହିରୋ । ସୁଡଙ୍ଗ ଭିତରେ ଅବୁ ବକର ଅଲ ବଗଦାଦୀକୁ ଠାବ କରିଥିବା କୁକୁରର ଫଟୋ ଜାରି କରିଛି ଆମେରିକା । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଏହି କୁକୁର ବାଗଦାଦୀକୁ କେବଳ ଠାବ କରିନି, ତାକୁ ମାରିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ବାଗଦାଦୀ ମୃତ୍ୟୁର ଅସଲ ହିରୋ କୁହାଯାଉଥିବା ଏହି କୁକୁରର ଫଟୋକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଟ୍ୱିଟରରେ ଟ୍ରମ୍ପ ଲେଖିଛନ୍ତି, ଏ ହେଉଛି ସେହି ହିରୋ, ଯିଏ ସୁଡଙ୍ଗ ଭିତରେ ଦୁର୍ଦ୍ଦଶ ଆତଙ୍କବାଦୀକୁ ଗୋଡାଇ ଗୋଡାଇ ମାରିଛି । ଟ୍ରମ୍ପ ପ୍ରଶାସନରେ ଆମେରିକା ସେନାର ଡେଲଟା ଫୋର୍ସ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ମୁଖ୍ୟ ବାଗଦାଦିକୁ ଶୁଆଇ ଦେଇଛି ଚିର ନିଦ୍ରାରେ । ଉତ୍ତର ସିରିଆରେ ଏକ ସୁଡଙ୍ଗ ଭିତରେ ଆମେରିକାର ଡେଲଟା ଫୋର୍ସ ତାକୁ ଠାବ କରିଥିଲେ ।

ଚାରିଆଡୁ ସେନା ଘେରି ଯିବା ପରେ ଉପାୟଶୂନ୍ୟ ହୋଇ ସୁଡଙ୍ଗ ଭିତରକୁ ପଶି ଯାଇଥିଲା ବାଗଦାଦି । ଏହାପରେ ସୁଡଙ୍ଗ ଭିତରକୁ ତାଲିମ ପ୍ରାପ୍ତ କୁକୁର ଗୁଡିକୁ ଛାଡି ଦେଇଥିଲା ଆମେରିକା ସେନା । କୁକୁର ଗୁଡିକ ବାଗଦାଦିକୁ ଗୋଡାଇ ଥିଲେ ଏବଂ ବାଗ୍ଦାଦି ଦୌଡି ଦୋଡି ସୁଡଙ୍ଗର ଶେଷରେ ପହଂଚିଥିଲା । କୁକୁର ଗୁଡିକ ମାଡି ଆସୁଥିବା ଦେଖି ନିଜ ଆତ୍ମଘାତୀ ଜ୍ୟାକେଟରେ ବିସ୍ଫୋରଣ ଘଟାଇଥିଲା । ଏହାପରେ ମୃତ୍ୟୁର ଦୂତ ସାଜୁଥିବା ଏହି ଆତଙ୍କବାଦୀର ମାଂସ ଖଣ୍ଡର ଡିଏନଏ ଟେଷ୍ଟ କରି ବାଗଦାଦୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।