ପାକିସ୍ତାନକୁ ଡବଲ୍ ଝଟକା ଦେଲା ଆମେରିକା ! ଟ୍ରମ୍ପଙ୍କ କଟୁ ମନ୍ତବ୍ୟ ପରେ ପ୍ରତିରକ୍ଷା ସହାୟତା ବନ୍ଦ

26

କନକ ବ୍ୟୁରୋ : ପ୍ରତିରକ୍ଷା ପାଇଁ ପାକିସ୍ତାନକୁ ଦେବାକୁ ଥିବା ୨୫୫ ମିଲିୟନ ଡଲାର ଅର୍ଥାତ ୧୬୫୦ କୋଟି ଟଙ୍କାର ସହାୟତାକୁ ବନ୍ଦ କରିଦେଇଛି ଆମେରିକା । ଆତଙ୍କବାଦୀଙ୍କ ଏନ୍ତୁଡିଶାଳ ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା ଦେଲା ଟ୍ରମ୍ପ ପ୍ରଶାସନ । ଆର୍ଥିକ ଅନୁଦାନ ବନ୍ଦ ପରେ ପ୍ରତିରକ୍ଷା ସହାୟତା ବାତିଲ କଲା ହ୍ୱାଇଟ୍ ହାଉସ୍ । ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ପାକିସ୍ତାନ ମିଛ କହି ୧୫ ବର୍ଷ ମଧ୍ୟରେ ୩୩ ବିଲିୟନ ଡଲାର ବା ୨ ଲକ୍ଷ ୧୦ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଟ୍ୱିଟ୍ କରି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପଙ୍କ ଟ୍ୱିଟ୍ ବିବୃତି ପରେ ଏହା ଉପରେ ମୋହର ଲଗାଇଛି ଡ୍ୱାଇଟ୍ ହାଉସ୍ । ଆମେରିକାର ସହାୟତା ଆତଙ୍କବାଦୀଙ୍କ ଉପରେ ପାକିସ୍ତାନର ଆଭିମୁଖ୍ୟ ଉପରେ ନିର୍ଭର କରୁଛି ବୋଲି ରୋକଠୋକ ଶୁଣାଇଦେଇଛି ଟ୍ରମ୍ପ ପ୍ରଶାସନ ।

ଆର୍ଥିକ ସହାୟତା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ପରେ ପାକିସ୍ତାନର ମୁଣ୍ଡ ବ୍ୟଥା ବଢିଯାଇଛି । ଏହାକୁ ନେଇ ହଇଚଇ ଖେଳିଯାଇଛି ପାକିସ୍ତାନରେ । ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶାହିଦ୍ ଖାକାନ୍ ଅବାସୀ ଓ ବୈଦେଶିକ ମନ୍ତ୍ରୀ ଖାଜା ଆସିଫଙ୍କ ଆଲୋଚନା ହୋଇଛି । ବୈଠକ ପରେ ବୈଦେଶିକ ମନ୍ତ୍ରୀ ଖାଜା ଆସିଫ ଟ୍ୱିଟ୍ କରି କହିଛନ୍ତି, ଖୁବ ଶୀଘ୍ର ଟ୍ରମ୍ପଙ୍କୁ ଏ ନେଇ ଜବାବ ଦିଆଯିବ । ପାକିସ୍ତାନରେ ଥିବା ଆମେରିକାର ରାଷ୍ଟ୍ରଦୂତକୁ ସମନ କରାଯାଇଛି । ସେହିପରି ପାକିସ୍ତାନରେ ଆମେରିକା ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ କରାଚୀରେ ଜୋରଦାର ପ୍ରଦର୍ଶନ କରାଯାଇଛି । ସେପଟେ ରକ୍ତର ହୋଲି ଖେଳୁଥିବା ଆତଙ୍କବାଦୀଙ୍କ ସର୍ଦ୍ଦାର ହାଫିଜ୍ ସଇଦ ପୁଣି ଥରେ ଭାରତ ବିରୋଧରେ ବିଷ ଉଦଗାର କରିଛି । ସେ କହିଛି, ଆମେରିକା ଜରିଆରେ ପାକିସ୍ତାନକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛ ଭାରତ ।