ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ଝଟକା ! ଶୁଳ୍କ ଛାଡ ସୁବିଧା ହଟାଇବ ଆମେରିକା, ୟୁଏସରେ ମହଙ୍ଗା ହେବ ଭାରତୀୟ ସାମଗ୍ରୀ ।

182

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ହେବା ପରଠୁ ଭାରତ ବିରୋଧରେ ପ୍ରଥମ ଥର ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତକୁ ଆମେରିକା ତରଫରୁ ମିଳୁଥିବା ଆମଦାନୀ ଶୁଳ୍କ ଛାଡ ସୁବିଧା ହଟାଇ ନେବାକୁ ସେ ଚାହୁଁଛନ୍ତି । ଏପରି ହେଲେ ଆମେରିକା ବଜାରରେ ଭାରତର ସାମଗ୍ରୀ ମହଙ୍ଗା ହେବ ଓ ଭାରତ ବ୍ୟବସାୟିକ କ୍ଷତି ସହିବ ।

ଭାରତ ଉପରେ ଟ୍ରମ୍ପ ନାରାଜ ? ଶୁଳ୍କ ଛାଡ ସୁବିଧା ହଟାଇବ ଆମେରିକା ! ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ଝଟକା । ଭାରତକୁ ବେପାରରେ ଦେଇଥିବା ଶୁଳ୍କ ଛାଡ ସୁବିଧା ହଟାଇନେବ ଆମେରିକା । ଜିଏସପି ସିଷ୍ଟମ ଅର୍ଥାତ୍ ଜେନେରାଲାଇଜଡ ସିଷ୍ଟମ ଅଫ୍ ପ୍ରିଫରେନ୍ସ ଶେଷ କରିବାକୁ ୟୁଏସ ନିଷ୍ପତି ନେଇଛି । ଏନେଇ ସଂସଦକୁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତରୁ ଆମେରିକା ୪୦ହଜାର ଅରବ ମୂଲ୍ୟର ସାମଗ୍ରୀ ଆମଦାନୀ ଉପରେ ଟାରିଫ ଫ୍ରି ସୁବିଧା ଉଚ୍ଛେଦ କରିବାକୁ ଚାହୁଁଛିି । ଫଳରେ ଆମେରିକାରେ ଭାରତର ସାମଗ୍ରୀ ମହଙ୍ଗା ହେବ ।

ଶୁଳ୍କ ସୁବିଧା ହଟିଲେ ଭାରତକୁ କ୍ଷତି ! ସେପଟେ ପ୍ରଭାବ ପଡିବନି କହିଲା ଭାରତ । ସାମଗ୍ରୀ ଆମଦାନୀ ଉପରୁ ଶୁଳ୍କ ଛାଡ ହଟାଇନେବା ନିଷ୍ପତି ଉପରେ ଟ୍ରମ୍ପ ହସ୍ତାକ୍ଷର  କରିବା ପରେ ଭାରତକୁ ପକ୍ଷ ରଖିବାକୁ ୬୦ଦିନ ସମୟ ଦିଆଯାଇଛି । ତେବେ ଏହା ଦ୍ୱାରା ବିଶେଷ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବାଣିଜ୍ୟ ସଚିବ । ତେବେ ପ୍ରତିଶୋଧ ପରାୟଣ ହୋଇ ଆମେରିକୀୟ ସାମଗ୍ରୀ ଆମଦାନୀ ଉପରେ ଶୁଳ୍କ ଭାରତ ବଢାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିକାଶଶୀଳ ଦେଶ ଗୁଡିକର ଆର୍ଥିକ ପ୍ରଗତି ପାଇଁ ଅନେକ ସାମଗ୍ରୀକୁ ବିନା ଟିକସରେ ଆମଦାନୀ କରିଥାଏ ଆମେରିକା । ଏବେ ଏହି ବ୍ୟବସାୟିକ ସଂପର୍କ ଭାରତ ଛଡା ତୁର୍କୀ ସହ ମଧ୍ୟ ଛିନ୍ନ କରିବାକୁ ଯାଉଛନ୍ତି ଟ୍ରମ୍ପ ସରକାର ।