ସତ ବାହାଘର ମିଛ ଦମ୍ପତି : ସ୍ୱାମୀ ଆଣିଲେ ଠକେଇର ଅଭିଯୋଗ

82

କନକ ବ୍ୟୁରୋ : ସତ ବାହାଘର ମିଛ ଦମ୍ପତି । ସାମ୍ନାକୁ ଆସିଛି ପ୍ରେମ, ପ୍ରତାରଣା ଓ ନିର୍ଯାତନାର ଏମିତି ଏକ କାହାଣୀ ଯାହା ମଣିଷ ଚରିତ୍ରର ଏକ ସାଂଘାତିକ ଦିଗ ସାମ୍ନାକୁ ଆଣୁଛି । ପ୍ରେମ ପରେ ବିବାହ ହେଲା, ହେଲେ ବାହାଘର ପରେ ଜଣାପଡିଲା ସ୍ତ୍ରୀ ପୂର୍ବରୁ ବିବାହିତା । ବୈବାହିକ ଜୀବନରେ ପଡିଗଲା ପୂର୍ଣ୍ଣଛେଦ । ଏହାରି ଭିତରେ ସ୍ତ୍ରୀ ବାପଘରକୁ ଚାଲିଯାଇଥିବା ବେଳେ ସ୍ୱାମୀ ଆଣିଛନ୍ତି ଠକେଇର ଅଭିଯୋଗ । ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀ ଦେଉଥିଲେ ଯୌତୁକ ନିର୍ଯାତନା।

vlcsnap-2016-07-22-18h39m26s196ଶୁଭ୍ରାଂଶୁ ଭୂଷଣ ସାମଲ ଓ ଦେବଜାନୀ ରକ୍ଷିତ୍ । ଦୁହେଁ ଗୋଟିଏ ସଂସ୍ଥାରେ କାମ କରୁ କରୁ ପଡିଗଲେ ପରସ୍ପରର ପ୍ରେମରେ । ଆଉ ପ୍ରେମକୁ ସ୍ୱୀକୃତି ମିଳିବାରେ ବେଶି ଦିନ ଲାଗିନଥିଲା । ପ୍ରଥମ ଦେଖା, ଏକାଠି ବୁଲାବୁଲି ଆଉ କଥାବାର୍ତାର ବର୍ଷଟିଏ ଭିତରେ ଦୁହିଁଙ୍କର ହୋଇଗଲା ବିବାହ । ୨୦୧୫ରେ ଦୁହିଁଙ୍କ ପରିବାରବର୍ଗର ଉପସ୍ଥିତିରେ ଦେବଜାନୀଙ୍କ ହାତ ଧରିଥିଲେ ଶୁଭ୍ରାଂଶୁ । ମଥାରେ ସିନ୍ଦୁର ଦେଇ ସାତ ଜନମକୁ ସାଥୀ କରିନେଲେ । ଦେବଜାନୀଙ୍କ ରୁପରେ ଏକପ୍ରକାର ମୁଗ୍ଧ ହୋଇଯାଇଥିଲେ ଶୁଭ୍ରାଂଶୁ । ହେଲେ ଚତୁର୍ଥୀ ରାତିରେ ଅସଲ ଚରିତ୍ର ଦେଖାଇଲେ ଦେବଜାନୀ । ବାହାଘର ପାଇଁ ବାପାଙ୍କ ବହୁତ ପଇସା ଖର୍ଚ୍ଚ ହୋଇଯାଇଥିବା କହି ଶୁଭ୍ରାଂଶୁଙ୍କୁ ମାଗିଲେ ୫୦ ହାଜର ଟଙ୍କା । ଆଉ ତାପରେ ବିଭିନ୍ନ ଆଳ କରି ବାରମ୍ବାର ଟଙ୍କା ମାଗିଥିଲେ । ବାସ୍ ଏମିତିରେ ଗୋଟିଏ ମାସର ବୈବାହିକ ସଂପର୍କ । ତାପରେ ବାପ ଘରକୁ ଚାଲିଯାଇ ଆଉ ଫେରିନଥିଲେ ଦେବଜାନୀ ।

vlcsnap-2016-07-22-18h40m58s303ଦେବଜାନୀଙ୍କ ବ୍ୟବହାରରେ ଖୁବ କଷ୍ଟ ଅନୁଭବ କରୁଥିଲେ ଶୁଭ୍ରାଂଶୁ । ତାଙ୍କର ଏଭଳି ପରିବର୍ତନର କାରଣ ଖୋଜିବା ଆରମ୍ଭ କରିଥିଲେ । ଆଉ ଶେଷରେ ଜାଣିବାକୁ ପାଇଲେ ଯେ, ପୂର୍ବରୁ ୨୦୧୧ରେ ପୁରୀ କୋର୍ଟରେ ଗୁରୁ ପ୍ରସାଦ ଲାହିରୀ ନାମକ ଆନ୍ୟଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଦେବାଜାନୀ । ଆଉ ଏ ସଂପର୍କରେ ତାଙ୍କୁ ସଂପୂର୍ଣ୍ଣ ଅନ୍ଧାରରେ ରଖିଥିଲେ । ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଶୁଭ୍ରାଂଶୁଙ୍କ ମୁଣ୍ଡରେ ଛିଣ୍ଡି ପଡିଥିଲା ଦୁଃଖର ପାହାଡ । କାରଣ ଏହାରି ଭିତରେ ମାଆଙ୍କ ଦେହ ଖରାପ ଭଳି ବାହାନା କରି ଲକ୍ଷାଧିକ ଟଙ୍କା ଲୁଟି ସାରିଥିଲେ ଦେବଜାନୀ । ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ନଦେଇ ତାଙ୍କୁ ଦ୍ୱିତୀୟ ବିବାହ କରିଥିବାରୁ ଦେବଜାନୀଙ୍କ ଏଭଳି ପ୍ରତାରଣା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶୁଭ୍ରାଂଶୁ ।

vlcsnap-2016-07-22-18h42m21s150ହେଲେ ଏଭଳି ଅଭିଯୋଗକୁ କିନ୍ତୁ ସିଧାସିଧା ଅସ୍ୱୀକାର କରିଦେଇଛନ୍ତି ଦେବଜାନୀ । କହିଛନ୍ତି ତାଙ୍କର ପୂର୍ବ ବିବାହ ସଂପର୍କରେ ଶୁଭ୍ରାଂଶୁଙ୍କୁ ଜଣାଥିଲା । ଏପରିକି ତାଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ମାମଲା କୋର୍ଟରେ ପହଂଚିଛି । ଦୁହିଁଙ୍କ ବୈବାହିକ ଜୀବନର ଭବିଷ୍ୟତ କଣ ହେବ ତାହା ତ କୋର୍ଟ କଚେରୀରେ ଫଇସଲା ହେବ । ହେଲେ ପ୍ରେମ, ପ୍ରତାରଣା ଓ ନିର୍ଯାତନାର ଏ କାହାଣୀ ସଂପର୍କ ଓ ବିଶ୍ୱାସକୁ ଦୋହଲାଇ ଦେଉନି ତ ?