ପ୍ରତ୍ୟାହୃତ ହେଲା ଟ୍ରକ ଧର୍ମଘଟ : କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଭାରତୀୟ ମୋଟର କଂଗ୍ରେସର ସୂଚନା

28

କନକ ବ୍ୟୁରୋ : ସର୍ବଭାରତୀୟ ସ୍ତରରେ ଚାଲିଥିବା ଟ୍ରକ୍‌ ଧର୍ମଘଟ ଆଜି ପ୍ରତ୍ୟାହୃତ ହୋଇଛି । ଟ୍ରକ୍‌ ପରିବହନକାରୀ ସଂଘ ପକ୍ଷରୁ ଯେଉଁ ଦାବିଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା ସେଗୁଡ଼ିକ ଉପରେ ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଧର୍ମଘଟକୁ ବନ୍ଦ ରଖାଯାଇଛି । ଚଳିତ ମାସ ୨୦ ତାରିଖରେ ଏହି ଧର୍ମଘଟ ଆରମ୍ଭ ହୋଇଥିଲା । ସେଥିରେ ଦେଶର ୯୦ ଲକ୍ଷରୁ ଅଧିକ ଟ୍ରକ୍‌ ସାମିଲ ହୋଇଥିଲେ। ସର୍ବଭାରତୀୟ ମୋଟରଯାନ କଂଗ୍ରେସର ଡାକରାରେ ସାରା ଦେଶର ସବୁ ଟ୍ରକ୍‌ ଏଥିରେ ସାମିଲ ହୋଇଥିଲେ । ଓଡ଼ିଶାରେ ଥିବା ପାଖାପାଖି ୨ ଲକ୍ଷ ଟ୍ରକ୍‌ ଧର୍ମଘଟରେ ସାମିଲ ହୋଇଥିଲେ । ଟ୍ରକ୍‌ ପରିବହନକାରୀଙ୍କ ଦାବିଗୁଡ଼ିକ ଉପରେ ବିଚାର କରିବା ପାଇଁ ଏକ କମିଟି ଗଠନ କରାଯିବ ।

କମିଟି ପ୍ରଥମେ ଦାବିଗୁଡ଼ିକୁ ଅନୁଧ୍ୟାନ କରିବ । ଏହା ପରେ ଯାହା କିଛି ସୁପାରିସ୍‌ ପ୍ରଦାନ କରିବ । ଦେଶରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ବନ୍ଦ କରିବା, ଡିଜେଲ ଦର କମ୍‌ କରିବା ପାଇଁ ଟ୍ରକ୍‌ ମାଲିକମାନେ ଦାବି କରିଛନ୍ତି।ଗତକାଲି ଟ୍ରକ୍‌ ପରିବହନକାରୀ ସଂଘର ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଦୀର୍ଘ ସମୟ ଆଲୋଚନା କରିଥିଲେ । ଗୁରୁବାର ରାତିରେ ସଂଘର ପ୍ରତିନିଧିମାନେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଦୁଇ ବୈଠକ ପରେ ଟ୍ରକ୍‌ ଚଳାଚଳକୁ ନେଇ ଜାରି ରହିଥିବା ଅଚଳାବସ୍ଥାର ସମାଧାନ ବାଟ ବାହାରିଥିଲା । ଟ୍ରକ୍‌ ଧର୍ମଘଟ ଯୋଗୁଁ ଅର୍ଥନୀତିକୁ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଆଜି ଆସୋଚାମ୍‌ ପକ୍ଷରୁ କୁହାଯାଇଛି ।