ଖ୍ରୀଷ୍ଟମାସ ପୁର୍ବରୁ ବର୍ଲିନରେ ଅଘଟଣ : ମାର୍କେଟ ଭିତରକୁ ପଶିଆସିଲା ଟ୍ରକ୍

27

କନକ ବ୍ୟୁରୋ : ଖ୍ରୀଷ୍ଟମାସ ପ୍ରସ୍ତୁତିକୁ ନେଇ ସାରା ଜର୍ମାନୀବାସୀ ଚଳଚଂଚଳ ଥିବାବେଳେ ବିଳମ୍ବିତ ରାତିରେ ଘଟିଯାଇଛି ଅଭାବନୀୟ ଘଟଣା । ଏକ ଟ୍ରକ ହଠାତ୍ ବର୍ଲିନର ଜନଗହଳିପୁର୍ଣ୍ଣ ମାର୍କେଟ ଭିତରକୁ ପଶିଆସିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ।

ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଖ୍ରୀଷ୍ଟମାସକୁ ନେଇ ମାର୍କେଟ ଗହଳି ଥିବାବେଳେ ଲୋକମାନେ ବିଭିନ୍ନ ସାମଗ୍ରୀ କିଣୁଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ _êଲିସ ଗିରଫ କରିଛି ।

ପୁଲିସ ପକ୍ଷରୁ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିବା ସହ ଏହି ଘଟଣାରେ କିଏ ସଂପୃକ୍ତି ରହିଛି ତାହା ତଦନ୍ତ କରୁଛି । ଆତଙ୍କବାଦୀ ସଂଗଠନ ଅଲକାଏଦା ଓ ଇସଲାମିକ ଷ୍ଟେଟର ସଂପୃକ୍ତି ରହିଛି କି ନାହିଁ ସ୍ପଷ୍ଟ ହୋଇନଥିଲେ ବି ପୁଲିସ ଆତଙ୍କବାଦୀଙ୍କ ଦ୍ୱାରା ଏହା କରାଯାଇଥିବା ସନ୍ଦେହ କରୁଛି ।

ଏହିଭଳି ସମାନ ଆକ୍ରମଣ ଚଳିତ ବର୍ଷ ଜୁଲାଇ ୧୪ରେ ଦକ୍ଷିଣ ଫ୍ରାନ୍ସରେ କରାଯାଇଥିଲା । ଏଥିରେ ୮୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ ନିଜକୁ ସ୍ୱୀକାର କରିଥିଲା ।

ତେଣୁ ସମାନ ପ୍ରକାରରେ ଏହି ଆକ୍ରମଣ କରାଯାଇଥିବାରୁ ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଛି କି ନାହିଁ ପୋଲିସ ଏହାର ତଦନ୍ତ କରୁଛି । ତେବେ ଜର୍ମାନୀ ଚାନସେଲର୍ ଆଜେଂଲା ମର୍କେଲ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।