ସଙ୍କଟରେ କଂଗ୍ରେସ ! ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଦ ଛାଡୁଛନ୍ତି ରାଜ୍ୟ କଂଗ୍ରେସର ମୁଖିଆ, ସମସ୍ୟା ସମାଧାନ ପାଇଁ ଦିଲ୍ଲୀରେ ତୁହାକୁ ତୁହା ବୈଠକ ।

283

କନକ ବ୍ୟୁରୋ : ବିପଦ ସାଙ୍ଗରେ ସାଥି ଧରି ଆସେ ପରି ଅବସ୍ଥା ଭିତରେ ଛନ୍ଦି ହୋଇ ପଡିଛି କଂଗ୍ରେସ । ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସାଂଗଠନିକ ସଂକଟ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟର ଦଳୀୟ ମୁଖିଆ ନିଜ ପଦ ଛାଡିବାକୁ ଚାହୁଁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏଯାଏଁ ୧୩ ଜଣ ପିସିସି ସଭାପତି ଇସ୍ତଫା ଦେଇଛନ୍ତି ଅବା ସେନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ମେଂଟ ସରକାରରେ ମଧ୍ୟ ବିପଦ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଚିନ୍ତା ବଢାଇଲେ କଂଗ୍ରେସ ନେତା । ପରାଜୟ ପରେ ବଢିଲା ସଙ୍କଟ । ଲୋକସଭା ନିର୍ବାଚନରେ ସାରା ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜଣକ ପରେ ଜଣେ ନେତା ଏବେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଦଳୀୟ ପ୍ରଦର୍ଶନର ନୈତିକ ଦାୟିତ୍ୱ ନେଇ ବହୁ ରାଜ୍ୟର ମୁଖିଆ ଏବେ ପଦ ଛାଡିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ରାହୁଲ ଗାନ୍ଧି ପଦରୁ ଇସ୍ତଫା ଦେବା କଥା ଉଠାଇଥିଲେ । ଅବଶ୍ୟ ସର୍ବ ସମ୍ମତିରେ ସିଡବ୍ଲୁସି ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଏହି କ୍ରମକୁ ଜାରି ରଖି ରାଜ୍ୟସ୍ତରୀୟ ନେତା ଏବେ ନିଜ ନିଜ ଇସ୍ତଫା ପତ୍ର ପ୍ରଦାନ କରିବା ଆରମ୍ଭ କରିଛନ୍ତି । ପଂଜାବ ପିସିସି ସଭାପତି ସୁନିଲ ଝାକଡ, ଝାଡଖଣ୍ଡର ଅଜୟ କୁମାର ଓ ଆସାମର ପିସିସି ଅଧ୍ୟକ୍ଷ ରିପୁନ ବୋରା ମଧ୍ୟ ଏହି ତାଲିକାରେ ଅଛନ୍ତି । ପୂର୍ବରୁ କଂଗ୍ରେସର ପ୍ରଦର୍ଶନର ଉତ୍ତରଦାୟିତ୍ୱ ନେଇ ଓଡିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ଓ ମହାରାଷ୍ଟ୍ରର କଂଗ୍ରେସ ମୁଖିଆ ଅଶୋକ ଚୌହ୍ୱାନ ଇସ୍ତଫା ଦେଇଥିଲେ ।

ଆସାମରୁ ପଂଜାବ, ମଧ୍ୟ ପ୍ରଦେଶରୁ ରାଜସ୍ଥାନ ସବୁଠି ବରିଷ୍ଠ ନେତା ପଦ ଛାଡିବା କଥା ଦୋହରାଇଛନ୍ତି । ବର୍ତମାନ ସୁଦ୍ଧା ବିଭିନ୍ନ ପ୍ରଦେଶର ୧୩ ଜଣ ବରିଷ୍ଠ ନେତା ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ସାରିଥିବା ସୂଚନା ମିଳିଛି ।

ଅନ୍ୟପଟେ କର୍ଣ୍ଣାଟକର ଜେଡିୟୁ – କଂଗ୍ରେସ ମେଂଟ ସରକାର ନେଇ ବିପଦ ସୃଷ୍ଟି ହୋଇଥିବା କହିଛନ୍ତି ଦଳୀୟ ନେତା । ବରିଷ୍ଠ କଂଗ୍ରେସ ନେତା କେଏନ ରାଜନ୍ନା ଆସନ୍ତା ଜୁନ ୧୦ ତାରିଖ ପରେ ମେଂଟ ସରକାର ଭାଙ୍ଗି ଥୟ ବୋଲି ଏକ ସାଧାରଣ ସଭାରେ କହିଛନ୍ତି । କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନରୁ ୨୫ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ମେଂଟ ସରକାର ଚାଲିବା ଆଉ ସହଜ ନୁହେଁ ବୋଲି କହିଛନ୍ତି ରାଜନ୍ନା । କଂଗ୍ରେସର ଦଳୀୟ ସମସ୍ୟା ଧିରେ ଧିରେ ଜଟିଳ ହେଉଥିବା ବେଳେ ଏହାର ସମାଧାନ ନେଇ ଦିଲ୍ଲୀରେ ବରିଷ୍ଠ ନେତାଙ୍କ ତୁହାକୁ ତୁହା ବୈଠକ ବସୁଥିବା କୁହାଯାଉଛି । ଏପଟେ ଏବେ ବି ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଥିବା ଚର୍ଚ୍ଚା ହେଉଛି ।