ମାଲକାନଗିରି ଡାକ୍ତରଖାନାରେ ମାତାଲ ଡାକ୍ତର ! ନିଶାଶକ୍ତ ଅବସ୍ଥାରେ କରୁଛନ୍ତି ଡ୍ୟୁଟି

38

କନକ ବ୍ୟୁରୋ: ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରୁଛନ୍ତି ଡାକ୍ତର । ମଦ ପିଇ ରୋଗୀ ଚିକିତ୍ସାରେ ଅଛନ୍ତି ଡାକ୍ତର । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ମଦ ପିଇ ଓପିଡିରେ ଡ୍ୟୁଟି କରୁଥିଲେ ଡାକ୍ତର ଶ୍ରୀମୟ ମିଶ୍ର । ସେ ଓପିଡିରେ ଥିବା ସମୟର ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଏନେଇ ଖବର ପ୍ରସାର ହେବା ପରେ ନିଜର ଭୁଲ ସ୍ୱୀକାର କରିଛନ୍ତି ସମ୍ପୃକ୍ତ ଡାକ୍ତର ।

ଗତକିଛି ଦିନ ହେଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇ ଆସିଛନ୍ତି ଡାକ୍ତର ଶ୍ରୀମୟ ମିଶ୍ର । ଗତକାଲି ତାଙ୍କର ରାତି ଡ୍ୟୁଟି ଥିବାବେଳେ ସେ ନିଶାଗ୍ରସ୍ତ ଅବସ୍ଥାରେ ଡାକ୍ତରଖାନାକୁ ଆସିଥିଲେ । ଏବଂ ରୋଗୀଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା ।

ସୂଚନା ମୁତାବକ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଁ ଥିବା ଜଣେ ଯୁବ ଡାକ୍ତରଙ୍କ ଶୁକ୍ରବାର ରାତ୍ରକାଳୀନ ଡ୍ୟୁଟିରେ ନିଶାଗ୍ରସ୍ତ ଭାବେ ରହିଥିଲେ । ରାତିରେ ପାଣ୍ଡ୍ରିପାଣୀର ସାବିତ୍ରୀ ଟାଙ୍ଗୁଲଙ୍କ ଦେହ ଖରାପ ହେବାରୁ ତାଂକୁ ରକ୍ତ ଦରକାର ପଡିଲା । ତାଙ୍କ ସଂପର୍କୀୟ ଏକ ଫର୍ମ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାପରେ ମାତାଲ ଡାକ୍ତର ଜଣକ ରୋଗୀଙ୍କଙ୍କ ସଂପର୍କୀୟଙ୍କୁ ଗାଳିଗୁଲଜ କରିବା ଫଳରେ ବଚସା ହୋଇଥିଲା । ମଦ ପିଇଛି ମୋର କିଏ କ’ଣ କରିବ କର ବୋଲି କହୁଥିଲେ । ଖବରପାଇ ଏଡିଏମଓ ଡା. ବି.ବି ମହାପାତ୍ର ଏବଂ ଡା. ସପନ କୁମାର ଦିଣ୍ଡା ପହଞ୍ଚି ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ନିଶାଗ୍ରସ୍ତ ଡାକ୍ତରଙ୍କୁ ନେଇ ଚାଲି ଯାଇଥିଲେ ।