ତ୍ରିପୁରା ବିଧାନସଭାରେ ତାମସା : ବାଚସ୍ପତିଙ୍କ ଦଣ୍ଡ ଧରି ଦୌଡିଲେ ଟିଏମସି ବିଧାୟକ ସୁଦୀପ ରାୟ ବର୍ମନ

41

କନକ ବ୍ୟୁରୋ : ତ୍ରିପୁରା ବିଧାନସଭାରେ ତାମସା । ଆଲୋଚନା କରିବାକୁ ସୁଯୋଗ ନଦେବାରୁ ବାଚସ୍ପତିଙ୍କ ଦଣ୍ଡ ଧରି ଦୌଡିଲେ ଟିଏମସି ବିଧାୟକ ସୁଦୀପ ରାୟ ବର୍ମନ । ଏପରିକି ତାଙ୍କ ପଛରେ ମାର୍ସଲମାନେ ଦୌଡି ଦୌଡି ଦଣ୍ଡକୁ ଛଡାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ ।

ମନ୍ତ୍ରୀ ନରେଶ ଜମାତିଆଙ୍କ ନାଁରେ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଉପରେ ଶୂନ୍ୟକାଳରେ ଆଲୋଚନା କରିବାକୁ ଚାହୁଁଥିଲେ ଟିଏମସି ବିଧାୟକ । ବାଚସ୍ପତି ଏଥିପାଇଁ ଅନୁମତି ନଦେବାରୁ ପ୍ରତିବାଦରେ ବାଚସ୍ପତିଙ୍କ ଦଣ୍ଡ ଧରି ଦୌଡିଥିଲେ ସୁଦୀପ ରାୟ ବର୍ମନ ।

ନରେଶ ଜମାତିଆ ଓ ଅଗରତଲା ମ୍ୟୁନିସିପାଲ କାଉନସିଲର କାଉନସିଲର ମୃଣ୍ମୟ ସେନଙ୍କ ନାଁରେ ଜଣେ ୭ବର୍ଷୀୟ ଶିଶୁକୁ ଯୌନ ନିର୍ଯାତନା ଦେବା ନେଇ ମାମଲା ରୁଜୁ ହୋଇଛି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହିଁ ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ନେଇ ଗୃହ ସରଗରମ ରହିଥିଲା । ମନ୍ତ୍ରୀ ନରେଶ ଜମାତିଆ ଓ ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ବିରୋଧୀ କଂଗ୍ରେସ ଓ ଟିଏମସି ।

ଏହାସହ ଶୂନ୍ୟକାଳରେ ଆଲୋଚନା ପାଇଁ ଦାବି କରିଥିଲେ । ତେବେ ମାମଲା ବିଚାରଧୀନ ଥିବାରୁ ଆଲୋଚନା ପାଇଁ ମନା କରିଥିଲେ ଆଇନ ମନ୍ତ୍ରୀ ତପନ ଚକ୍ରବର୍ତୀ । ଏହାକୁ ପ୍ରତିବାଦ କରି ବାଚସ୍ପତିଙ୍କ ଦଣ୍ଡ ଧରି ଦୌଡିଥିଲେ ଟିଏମସି ବିଧାୟକ ସୁଦୀପ ରାୟ ବର୍ମନ ।