ତିନି ତଲାକକୁ ସୁପିମକୋର୍ଟଙ୍କ କବର ! କହିଲେ ଅନ୍ୟାୟ, ଅବୈଧ ଓ ଅସାମ୍ବିଧାନିକ

76

କନକ ବ୍ୟୁରୋ: ତିନି ତଲାକକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ପ୍ରଥାକୁ ଅସିଦ୍ଧ ଘୋଷଣା କରିବା ସହିତ ଅସାମ୍ବିଧାନିକ ବୋଲି ରାୟରେ କହିଛନ୍ତିି । ଏହାସହ ଆଗାମୀ ଛଅ ମାସ ମଧ୍ୟରେ ଏନେଇ ନିୟମ ଆଣିବା ପାଇଁ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଖେହରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ନଜର ପକାନ୍ତୁ କେମିତି ଥିଲା ଏହି ପୁରା ପ୍ରକ୍ରିିୟା ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଖେହର, ଜଷ୍ଟିସ କୁରିୟନ ଜୋସେଫ, ଜଷ୍ଟିସ ରୋହିତନ ନରୀମନ, ଜଷ୍ଟିସ ୟୁ.ୟୁ ଲଳିତ ଓ ଜଷ୍ଟିସ ଅବଦୁଲ ନଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ପ୍ରସଙ୍ଗର ଶୁଣାଣୀ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି ୫ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ତିନିଜଣ ତିନି ତଲାକୁ ଅସାମ୍ବିଧାନିକ କହିଥିବା ବେଳେ ଦୁଇଜଣ ଏହା ସପକ୍ଷରେ ରହିଥିଲେ । ତେବେ ମାମଲାର ଶୁଣାଣୀ କରୁଥିବା ଏହି ପାଂଚଜଣ ବିଚାରପତି ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ଏହା ଏକ ଐତିହାସିକ ଶୁଣାଣୀ ବୋଲି କୁହାଯାଉଛି ।

ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଖେହର ଶିଖ ସଂପ୍ରଦାୟର, ଜଷ୍ଟିସ କୁରିୟନ ଜୋସେଫ ଇସାଈ ସଂପ୍ରଦାୟର, ଜଷ୍ଟିସ ରୋହିତନ ନରୀମନ ପାର୍ସୀ ସଂପ୍ରଦାୟର, ଜଷ୍ଟିସ ୟୁ.ୟୁ ଲଳିତ ହିନ୍ଦୁ ସଂପ୍ରଦାୟର ଓ ଜଷ୍ଟିସ ଅବଦୁଲ ନଜୀର ମୁସଲିମ ସଂପ୍ରଦାୟର ବ୍ୟକ୍ତିି । ଦେଶରେ ୧୪ଶହ ବର୍ଷ ଧରି ଚାଲିଆସିଥିବା ଏହି ତିନି ତଲାକ ପ୍ରଥା ମାମଲାରେ ଏହି ୫ଜଣ ବରିଷ୍ଠ ବିଚାରପତି ହିଁ ଫଇସଲା ଶୁଣାଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ମିଳିବା ପରେ ମୁସଲିମ ମହିଳା ବୋର୍ଡର ଆଇନଜୀବି ଏହାକୁ ମୁସଲିମ ମହିଳାମାନଙ୍କର ବିଜୟ ବୋଲି କହିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ପାକିସ୍ତାନ ଓ ସାଉଦୀ ଆରବ ଭଳି ଇସଲାମିକ ରାଷ୍ଟ୍ରରେ ଏହି ତିନି ତଲାକ ପ୍ରଥାକୁ ବ୍ୟାନ କରାଯାଇଛି ।

ସମାଧୀ ପାଇଲା ମୁସଲିମ ସଂପ୍ରଦାୟର ତିନି ତଲାକ ପ୍ରଥା । ପ୍ରଥାନୁସାରେ ଯଦି ସ୍ୱାମୀ ଗୋଟିଏ ନିଶ୍ୱାସରେ ତଲାକ… ତଲାକ… ତଲାକ ବୋଲି କୁହେ, ତେବେ ଏହାକୁ ମୁସଲିମ ସଂପ୍ରଦାୟରେ ତଲାକ ବୋଲି ବିଚାର କରାଯାଉଥିଲା । କିନ୍ତୁ ଅନେକଙ୍କ ମତରେ ତିନିଟି ଭିନ୍ନ ଭିନ୍ନ ସମୟରେ ତିନିଥର ତଲାକ କହିଲେ ତାହାକୁ ତଲାକ ବୋଲି ବିଚାର କରାଯିବା କଥା । ଏହାଦ୍ୱାରା ଯଦି ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ ଅନ୍ତତଃ ସଂପର୍କ ତୁଟେ ନାହିଁ ।

ତେବେ ଥରେ ତଲାକ ହୋଇଗଲା ପରେ ପରବର୍ତ୍ତୀ ସମୟରେ ପତି-ପତ୍ନୀଙ୍କୁ ପୁଣିଥରେ ପଶ୍ଚାତାପରୁ ମୁକ୍ତି ମିଳିବାର କୌଣସି ସମ୍ଭାବନା ନଥାଏ । ମୁସଲିମ ସଂପ୍ରଦାୟରେ ଏଥିପାଇଁ କେବଳ ଏକମାତ୍ର ବ୍ୟବସ୍ଥା ରହିଛି ଯାହାକୁ ହଲାଲା କୁହାଯାଏ । ଏହା ମାଧ୍ୟମରେ ପତ୍ନୀଙ୍କୁ ଆଉ ଜଣଙ୍କୁ ବିବାହ କରିବାକୁ ହୁଏ, ପରେ ଦ୍ୱିତୀୟ ସ୍ୱାମୀ ତାଙ୍କୁ ତଲାକ ଦିଅନ୍ତି । ଏହାପରେ ହିଁ ପତ୍ନୀ ପୁଣିଥରେ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବା ନେଇ ବ୍ୟବସ୍ଥା ରହିଛି ।

ଅନ୍ୟପଟେ ଏହି ତିନି ତଲାକ ପ୍ରଥା ଆଜିର ନୁହେଁ । ଦେଶରେ ଯେତେବେଳେ ମୁସଲିମ ଅର୍ଥାତ ମୋଗଲ ଶାସନ ଚାଲୁଥିଲା ସେତେବେଳେ ବି ଏହି ନିୟମ ରହିଥିଲା । ଏନେଇ ଇତିହାସର ଉଦାହରଣ ମଧ୍ୟ ଦିଆଯାଉଛି । ତେବେ ମୋଗଲ ଶାସନ କାଳରେ ଏହି ପ୍ରଥାର ବିଶେଷ ପରଂପରା ଦେଖିବାକୁ ମିଳିନାହିଁ । ଏପରିକି ସମ୍ରାଟ ଜାହାଙ୍ଗୀର ମଧ୍ୟ ୧୬୧୧ ଖ୍ରୀଷ୍ଟାବ୍ଦରେ ଏହି ପ୍ରଥା ଉପରେ ସେତେବେଳେ ରୋକ ଲଗାଇଥିଲେ ।

ତିନି ତଲାକ ପ୍ରଥାର ଅନ୍ତ ହେବା ସମୟରେ ମନେପଡେ ରାଜୀବଗାନ୍ଧୀଙ୍କ ସମୟର କଥା । ଆଜକୁ ଠିକ ୩୨ବର୍ଷ ପୂର୍ବେ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ସରକାର ବିରୁଦ୍ଧରେ ଟ୍ରିପିଲ ତଲାକକୁ ନେଇ ଲୋକସଭାରେ ଭାଷଣ ଦେଇଥିଲେ ପୂର୍ବତନ ମନ୍ତ୍ରୀ ଆରିଫ ମହମ୍ମଦ । ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଲୋକସଭାରେ ଟୀକା ଟୀପ୍ପଣୀ ଦେଇଥିଲେ ସେ । ଏପରିକି ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି ସେ ଇସ୍ତଫା ମଧ୍ୟ ଦେଇଥିଲେ ।

ସେପଟେ ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦେଶ ବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାୟକୁ ଐତିହାସିକ କହିବା ସହ ଏହା ମୁସଲିମ ମହିଳାଙ୍କୁ ସମାନ ଅଧିକାର ଦେଉଛି ବୋଲି କହିଛନ୍ତି । ଏହାଦ୍ୱାରା ମହିଳା ଶସକ୍ତିକରଣ ଆଗକୁ ଯିବ ବୋଲି ମୋଦି ଟୁଇଟ କରି କହିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ରାୟକୁ ନୂଆ ଯୁଗର ଶୁଭାରମ୍ଭ ବୋଲି କହିଛନ୍ତିି ।

ଯୋଗୀ ଆଦିତ୍ୟନାଥ ରାୟକୁ ମହିଳା ଶସକ୍ତିକରଣ କ୍ଷେତ୍ରରେ ଏକ ମାଇଲଷ୍ଟୋନ ବୋଲି କହିବା ସହ ଏହା ମହିଳାଙ୍କୁ ଉଚିତ ନ୍ୟାୟ ବୋଲି କହିଛନ୍ତି । ଆବେଦନକାରୀ ସାୟରା ବାନୋ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏହି ରାୟକୁ ସ୍ୱାଗତ କରିବା ସହ ଆଜିର ଦିନକୁ ମହିଳାଙ୍କ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି । ମେନକା ଗାନ୍ଧୀ, କପିଲ ଶିବଲ, ଶିବରାଜ ସିଂ ଚୌହାନ, ମନ୍ତ୍ରୀ ବିଜୟ ଗୋଏଲ, ସଲମାନ ଖୁର୍ସିଦ, ରାଜ୍ୟବର୍ଦ୍ଧନ ସିଂ ରଠୋର, ଆପ୍ ନେତା ଆଶୁତୋଷ ପ୍ରମୁଖ ମଧ୍ୟ ଏହି ଐତିହାସିକ ରାୟକୁ ସ୍ୱାଗତ କରିଛନ୍ତି ।