ତିନି ତଲାକ୍ ବିଧେୟକ ଉପରେ ଲୋକସଭାରେ ଆଲୋଚନା ପୂର୍ବରୁ ହଙ୍ଗାମା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ, ଅପରାହ୍ଣରେ ୨ଟାରେ ହୋଇପାରେ ଆଲୋଚନା

122

କନକ ବ୍ୟୁରୋ : ଲୋକସଭାରେ ତିନ୍ ତଲାକ୍ ବିଧେୟକ ଉପରେ ଆଲୋଚନା ପୂର୍ବରୁ ହଙ୍ଗାମା  । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ ।  ଆଉ ଏସବୁୁ ଭିତରେ ଅପରାହ୍ଣ ୨ଟାରେ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଲୋକସଭାରେ ଏହି ବିଲ୍ ପାରିତ ହେବା ଆବଶ୍ୟକ । ଏବଂ କଂଗ୍ରେସ ପୁଣି ପୂର୍ବ ଭୂଲକୁ ଦୋହରାଇବ ନାହିଁ । ଆଜି ବିଲ୍ ପାରିତ ହେବାରେ ସହଯୋଗ କରିବ ।

ସେହିପରି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ତିନ ତଲାକ ବିଲ୍ ମହିଳାଙ୍କ ସମ୍ମାନର ପ୍ରସଙ୍ଗ । ତେଣୁ ଏହା ଲୋକସଭାରେ ପାରିତ ହେବା ଆବଶ୍ୟକ । ତେବେ ବିରୋଧୀ ନେତା ମଲ୍ଲିକାର୍ଜ୍ଜୁନ ଖାଡଗେ କହିଛନ୍ତି ଧାର୍ମିକ ପ୍ରସଙ୍ଗରେ ସରକାର ଦଖଲ ଦେବା ଉଚିତ୍ ନୁହେଁ । ଏବଂ ସେ ଯାହା କହିବା କଥା ସଂସଦରେ କହିବେ । ବିଲ ପାରିତ ପାଇଁ ମତଦାନ ହେବାକୁ ଥିବାରୁ ଗୃହରେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି ଭାରତୀୟ ଜନତା ପାର୍ଟି ।

ତିନ ତଲାକକୁ ଦଣ୍ଡାତ୍ମକ ଅପରାଧ ଭାବେ ଘୋଷଣା କରୁଥିବା ଏହି ବିଧେୟକକୁ ଡିସେମ୍ବର ୧୭ରେ ସରକାର ଲୋକସଭାରେ ଉପସ୍ଥାପନ କରିଥିଲେ । ଏହାକୁ ତିନତଲାକ ସମ୍ବନ୍ଧିତ ଅଧ୍ୟାଦେଶ ସ୍ଥାନରେ ଅଣାଯିବ । ଏହି ପ୍ରସ୍ତାବିତ ଆଇନ ଅନୁଯାୟୀ ଏକାଥରରେ ତିନ ତଲାକ ଦେବା ବେଆଇନ  । ଏହାର ଅମାନ୍ୟ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ । ତେବେ କେତେକ ଦଳର ବିରୋଧକୁ ନଜରରେ ରଖି ଏହି ବିଲ୍ରେ ଦୋଷୀକୁ ଜାମିନର ବ୍ୟବସ୍ଥା ସହିତ ଆଉ କିଛି ସଂଶୋଧନ କରିଛନ୍ତି ସରକାର । ତେଣୁ ଯଦି ଆଜି ଏହି ବିଲ୍ ଲୋକସଭାରେ ପାରିତ କରାଇବାରେ ସରକାର ସଫଳ ହ୍ରୁଅନ୍ତି ତେବେ ଆଗାମୀ ସପ୍ତାହରେ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ସେପଟେ ରାଫେଲ ଡିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ହଙ୍ଗାମା ହୋଇଛି । ଗୃହ ଚାଲି ନପାରିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।