ବିନା ସଂଶୋଧନରେ ଲୋକସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ! କେଁ ପୂରାଇଥିଲା ବିଜେଡି, ସର୍ତ୍ତ ରଖିଥିଲା କଂଗ୍ରେସ

27

କନକ ବ୍ୟୁରୋ : ଲୋକସଭାରେ ବିନା ସଂଶୋଧନରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ ତଲାକ୍ ବିଲ୍ । ଏବେ ଏହି ବିଲ ରାଜ୍ୟସଭାରେ ଆଗତ ହେବ । ପୂର୍ବରୁ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଏହି ବିଲ ଲୋକସଭାରେ ଆଗତ କରିଥିଲେ । ସେ କହିଥିଲେ ଏହା ସମାଜରେ ଥିବା ଏକ ଭୁଲ ବ୍ୟବସ୍ଥା, ଯେଉଁଥି ପାଇଁ ମହିଳାମାନେ ନିଜ ହକ୍ରୁ ବଂଚିତ ହୋଇଛନ୍ତି । ଏହା ନାରୀ ସଶକ୍ତିକରଣ ଏକ ଉଦ୍ୟମ ବୋଲି ମନ୍ତ୍ରୀ କହିଥିଲେ । ଏହି ବିଲକୁ ବିଭିନ୍ନ ସଂଗଠନ ସହ ଆଲୋଚନା କରି ଚୂଡାନ୍ତ କରିବାକୁ ପ୍ରସ୍ତାବ ଦେଇଥିଲା କଂଗ୍ରେସ । ଅନ୍ୟପଟେ ଏହି ବିଲର ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇ ବିରୋଧ କରିଥିଲା ବିଜେଡି । ଅନ୍ୟପଟେ ବିଭିନ୍ନ ମୁସଲିମ୍ ସଂଗଠନ ଏହି ବିଲକୁ ବିରୋଧ କରିଥିଲେ । ତେବେ କୌଣସି ସଂଶୋଧନ ବିନା ଏହି ବିଲ ପାରିତ ହୋଇଛି । ଏହି ବିଲରେ ଖିଲାପ କଲେ ଜାମିନ ବିହିନ ଗିରଫ ପରୱାନା ସହ ୩ ବର୍ଷ ଯାଏଁ ଜେଲ୍ ବ୍ୟବସ୍ଥା ରହିଛି ।

downloadଟ୍ରିପିଲ ତଲାକ ବିଲ ସଂସଦରେ ଆଗତ ହେବା ବେଳେ ବିଜେଡି- ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତାର ପ୍ରତିଫଳନ ଆଜି ସଂସଦରେ ଦେଖିବାକୁ ମିଳିଛି ।ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧିକାଂଶ ନିଷ୍ପତିରେ ହଁ ଭରୁଥିବା ବିଜେଡି ଏବେ କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛି । ଟ୍ରିପଲ୍ ତଲାକ୍ ବିଲକୁ କଂଗ୍ରେସ ସିଧାସଳଖ ବିରୋଧ କରୁନଥିବା ବେଳେ ବିଜେଡି ଏହି ବିଲକୁ କଡ଼ା ସମାଲୋଚନା କରିଛି ।

ତିନି ତଲାକକୁ ଅଗଷ୍ଟ ୨୨ ତାରିଖରେ ଅବୈଧ ଘୋଷଣା କରିଥିଲେ ସୁପ୍ରିମକୋର୍ଟ । ଏହି କ୍ରମରେ ଏହାକୁ ଆଇନ ଆଖିରେ ଅବୈଧ କରିବା ପାଇଁ ଆଜି ବିଲ୍ ଉପସ୍ଥାପନ କରି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି, କୌଣସି ଧର୍ମୀୟ ଭାବନାକୁ ଆଖି ଆଗରେ ନରଖି କିମ୍ବା ଭୋଟ ବ୍ୟାଙ୍କ କଥା ଚିନ୍ତା ନକରି ସରକାର ନାରୀଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ।ସେପଟେ କଂଗ୍ରେସ ଏହି ବିଲକୁ ଷ୍ଟାଂଡି କମିଟିକୁ ପଠାଇବାକୁ ଦାବି କରିଛି । ସବୁ ଦଳର ନେତା ବିଲ୍ ସଂପର୍କରେ ବିଶଦ ଭାବେ ଆଲୋଚନା କରିବାକୁ ଯୁକ୍ତି ରଖିଛି କଂଗ୍ରେସ । କିନ୍ତୁ ଏହି ବିଲକୁ କଡ଼ା ବିରୋଧ କରିଛନ୍ତି ମୁସଲିମ୍ ସଂଗଠନ । ଏସବୁ ସତ୍ତେ୍ୱ ମଧ୍ୟ ସଂସଦରେ ଏହି ବିଲ ଆଜି ପାରିତ ହୋଇଛି ।

ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ଆଇନରେ ପରିଣତ ହେଲେ ତିନି ତଲାକ୍ ବା ତତକଳ ଛାଡପତ୍ରକୁ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ଗ୍ରହଣ କରାଯିବ । ମୌଖିକ, ଲିଖିତ, ଟେଲିଫୋନ୍ କିମ୍ବା ସୋସିଆଲ ମିଡିଆରେ ତଲାକ୍ ଦେବା ବେଆଇନ୍ ହେବ । ଏହି ଅପରାଧ ଲାଗି ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ସେହିପରି ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଭରଣପୋଷଣ ଦେବ ସ୍ୱାମୀ । ସନ୍ତାନଙ୍କୁ ଥଇଥାନ ପାଇଁ ବିଚାରପତିଙ୍କୁ ଅନୁରୋଧ କରିପାରିବେ ପୀତିତା ।