କରୋନାକୁ ପଶ୍ଚିମବଙ୍ଗରେ ତେଜିଲା ରାଜନୀତି: କରୋନା ସ୍ଥିତିର ଯାଂଚ ପାଇଁ ଆସିଥିବା କେନ୍ଦ୍ରୀୟ ଟିମର ଅଭିଯୋଗ; ସହଯୋଗ କରୁନାହାନ୍ତି ମମତା ସରକାର

ସେପଟେ ଦିଦି କହିଲେ, କରୋନା ସ୍ଥିତିର ଯାଂଚ ନୁହେଁ, ରାଜନୈତିକ ସଂକ୍ରମଣ କରୁଛନ୍ତି କେନ୍ଦ୍ରୀୟ ଟିମ

787

କନକ ବ୍ୟୁରୋ: କରୋନାର ସ୍ଥିତି ଯାଂଚ ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଯୋର ଧରିଛି । ପଶ୍ଚିମବଙ୍ଗକୁ ଆସିଥିବା ଇଂଟର ମିନିଷ୍ଟରିଆଲ ସେଂଟ୍ରାଲ ଟିମ୍ ମମତା ସରକାର କରୋନା ନେଇ ସଠିକ ତଥ୍ୟ ଓ ସହଯୋଗ କରୁନଥିବା ଅଭିଯୋଗ ଆଣିଛନ୍ତି । ଶନିବାର କେନ୍ଦ୍ରୀୟ ଟିମ୍ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଯେଉଁଥିରେ ରାଜ୍ୟ ସରକାର ସହଯୋଗ କରୁନଥିବା ଉଲ୍ଲେଖ ରହିଛି । ସେଂଟ୍ରାଲ ଟିମ୍ ସହ ରାଜ୍ୟର କୌଣସି ପ୍ରତିନିଧି ନାହାନ୍ତି, ଏପରି କି ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ମଧ୍ୟ ସାଙ୍ଗରେ ରହୁ ନାହାନ୍ତି ।

ଏପରି ସ୍ଥିତିରେ ରାଜ୍ୟ ପୁଲିସ ବଦଳରେ ବିଏସଏଫ ଯବାନଙ୍କ ନିୟୋଜିତ କରାଯିବ କି ବୋଲି ଚିଠିରେ ପ୍ରଶ୍ନ କରାଯାଇଛି । କେନ୍ଦ୍ରୀୟ ଟିମର ପଦାଧିକାରୀଙ୍କ କହିଛନ୍ତି ରାଜ୍ୟର ବରିଷ୍ଠ ଓ କନିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି କରୋନାର ବାସ୍ତବିକ ସ୍ଥିତିର ସମୀକ୍ଷା କରିବାକୁ ଚାହୁଁଛନ୍ତି । ଯାହାଦ୍ୱାରା କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ସ୍ୱାସ୍ଥ୍୍ୟ ସୁବିଧା ସଂପର୍କରେ ସଠିକ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ପହଂଚିପାରିବ ।

ରାଜ୍ୟ ସରକାରଙ୍କ ୪ଟି ଚିଠି ଲେଖିବା ସତ୍ୱେ ସହଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟପଟେ ଆରମ୍ଭରୁ କେନ୍ଦ୍ରୀୟ ଟିମର ଗସ୍ତକୁ ବିରୋଧ କରୁଥିବା ମମତା ଶନିବାର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ କିଛି କରି ନାହାନ୍ତି । ତାଙ୍କର ଅସଲ ଉଦ୍ଦେଶ୍ୟ ରାଜନୈତିକ ଭୂତାଣୁ ସଂକ୍ରମିତ କରିବା ଓ ତାହା ସେମାନେ ନିର୍ଲଜ ଭାବେ କରୁଛନ୍ତି । ଦିଦିଙ୍କ ଏହି ଆକ୍ରାମଣାତ୍ମକ ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି ।