ଆଖିରୁ ଲୁହ ବୁହାଇ କରୁଣାନିଧିଙ୍କୁ ଅନ୍ତିମ ବିଦାୟ ଦେଲା ଚେନ୍ନାଇ । ମରିନା ବିଚରେ ଶେଷ ଦର୍ଶନ ପାଇଁ ଜନ ସମୁଦ୍ର ।

41

କନକ ବ୍ୟୁରୋ : ଚିରନିଦ୍ରାରେ କରୁଣାନିଧି । ଚେନ୍ନାଇର ମରିନା ବିଚରେ ଡିଏମକେ ସୁପ୍ରିମୋଙ୍କୁ ସମାଧି ଦିଆଯାଇଛି । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରୁଣାନିଧିଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆଜି ସକାଳୁ ଶେଷ ଦର୍ଶନ ପରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶେଷଯାତ୍ରାରେ ବାହାରିଥିଲା କରୁଣାନିଧିଙ୍କ ମରଶରୀର । ଜନସମୁଦ୍ର ପାଲଟିଯାଇଥିଲା ଚେନ୍ନାଇ ରାଜରାସ୍ତା । ପରେ ମରିନା ବିଚ୍ରେ କରୁଣାନିଧିଙ୍କୁ ସମାଧି ଦିଆଯାଇଛି । ହଜାର ହଜାର ସମର୍ଥକ, ଶୁଭେଚ୍ଛୁ ଓ ତାମିଲନାଡୁ ବାସୀ, ଦକ୍ଷିଣ ଭାରତର ଏହି ସର୍ବାଧିକ ଲୋକପ୍ରିୟ ନେତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ଲୁହରେ ଭିଜିଛି ଚେନ୍ନାଇ । କରୁଣାନିଧିଙ୍କ ପରଲୋକ ସହ ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ପ୍ରମୁଖ କରୁଣାନିଧିଙ୍କ ପରଲୋକରେ ଶୋକାକୂଳ ପରିବେଶ  । ମଙ୍ଗଳବାର ଦେହାନ୍ତ ଖବର ଶୁଣିବା ମାତ୍ରେ ତାମିଲନାଡୁର ରାସ୍ତାକୁ ଓହ୍ଲାଇ ଆସିଥିଲେ କରୁଣାନିଧିଙ୍କ ଲକ୍ଷ ଲକ୍ଷ ସମର୍ଥକ । ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ଚେନାଇ ଅଭିମୁଖେ ଛୁଟିଥିଲା ଜନତାଙ୍କ ସୁଅ । ଜନସମୁଦ୍ରରେ ପରିଣତ ହୋଇଥିଲା ଚେନାଇ ରାଜରାସ୍ତା । କେହି କେହି କୋହ ସମ୍ବରଣ କରିନପାରି ଭାବବିହ୍ୱଳ ହୋଇ କାନ୍ଦୁଥିଲେ  । ଲାଗୁଥିଲା ସତେ ଯେମିତି କରୁଣାନିଧିଙ୍କ ପାଇଁ କାନ୍ଦୁଥିଲା ତାମିଲନାଡୁ । ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଚିର ନିଦ୍ରାରେ ଶୋଇଛନ୍ତି ତାମିଲ ରାଜନୀତିର ଭୀଷ୍ମ ପିତାମହ । ଆଉ ବାହୁନି କାନ୍ଦୁଛନ୍ତି ତାଙ୍କର ଲକ୍ଷ ଲକ୍ଷ ସମର୍ଥକ । କାନ୍ଦବୋବାଳିରେ ଫାଟି ପଡୁଛି ସମ୍ପୂର୍ଣ୍ଣ ପରିବେଶ । ବର୍ଷିୟାନ ରାଜନେତା ତଥା ପାଂଚ ପାଂଚ ଥର ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି କଲାଇନାରଙ୍କ ସମର୍ଥକ । ହଜାର ହଜାର ମହିଳା, ଯୁବକ ଓ ବିଭିନ୍ନ ବର୍ଗର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଏପରିକି ରାଜାଜି ହଲ୍ ସମୁଖରେ ଜମିଥିବା ଭିଡ ଯୋଗୁଁ ଆଜି ଦଳାଚକଟା ହୋଇଛି । ଏଥିରେ ଜୀବନ ହାନି ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଚେନ୍ନାଇରେ କରୁଣାନିଧିଙ୍କ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜାଜି ହଲରେ ଦ୍ରାବିଡ ଯୋଦ୍ଧାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଚେନ୍ନାଇର ରାଜାଜି ହଲରେ କରୁଣାନିଧିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶର ବହୁ ବରିଷ୍ଠ ନେତା କରୁଣାନିଧିଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ସେହିପରି କରୁଣାନିଧିକଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତାମିଲ ଅଭିନେତା ରଜନୀକାନ୍ତ ଓ କମଲ ହାସନ  । ସେପଟେ ସଂସଦର ଉଭୟ ଗୃହରେ କରୁଣାନିଧିଙ୍କ ଉଦ୍ଦେଶ୍ୟରେ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ନିଜ ନିଜର ଆସନରୁ ଉଠି କିଛି ସମୟ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ତାପରେ କରୁଣାନିଧିଙ୍କ ସମ୍ମାନରେ ଉଭୟ ଗୃହକୁ ଦିନକ ପାଇଁ ମୂଲତବୀ ରଖାଯାଇଥିଲା । ଅଭିନେତାରୁ ରାଜନେତା ପାଲଟିଥିବା  କରୁଣାନିଧିଙ୍କ ପ୍ରତି ଲୋକଙ୍କ ଆବେଗପୂର୍ଣ୍ଣ ସମ୍ପର୍କ ଯୋଡି ହୋଇଥିବାରୁ  ତାଙ୍କ ପରଲୋକରେ କାନ୍ଦୁଛି ତାମିଲନାଡୁ । କରୁଣାନିଧି ଏବେ ଅଫେରା ବାଟର ଯାତ୍ରୀ । ଆଉ ଫେରିବାର ନାହିଁ । କି ଏ ଲୁହ ଶୁଖିବାର ନାହିଁ ।