ମୋଦିଙ୍କୁ ଆଦିବାସୀଙ୍କ ଖୋଲାପତ୍ର ! ସ୍ମାରକୀ ପାଇଁ ଆମ ପେଟକୁ ଲାତ କାହିଁକି ?
କନକ ବ୍ୟୁରୋ : ନର୍ମଦା ନଦୀ ସଜ୍ୟାରେ ପ୍ରତିଷ୍ଠା ହୋଇଥିବା ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପୂର୍ବରୁ ବିବାଦ ତେଜିବାରେ ଲାଗିଛି । କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାରୀ ଟଙ୍କାରେ ସ୍ମାରକୀ ନିର୍ମାଣକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ଅଂଚଳର ପ୍ରାୟ ୨୨ଟି ଗାଁର ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି । ୨୨ଟି ଆଦିବାସୀ ଗାଁର ସରପଂଚ ଚିଠି ଲେଖି ଜଣାଇଛନ୍ତି ଯେ, ‘ଯେଉଁ ସ୍ଥାନରେ ଏହି ପ୍ରତିମୂର୍ତ୍ତି ତିଆରି କରାଯାଇଛି, ସେଠାକାର ଜଙ୍ଗଲ, ନଦୀ, ଝରଣା, ଜମି ଓ ଚାଷକ୍ଷେତ ଉପରେ ନିର୍ଭର କରି ଆମେ ପୀଢି ପରେ ପୀଢି ଜୀବିକା ନିର୍ବାହ କରିଆସିଛୁ । କିନ୍ତୁ ଏହି ସ୍ମାରକୀ ନିର୍ମାଣ ଲାଗୁ ଏସବୁକୁ ନଷ୍ଟ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଗୁଡିକୁ ହତ୍ୟା କରି ହେଉଥିବା ଉତ୍ସବକୁ ଆମେ କିଭଳି ସ୍ୱାଗତ କରିବୁ? ଅତି ଦୁଃଖର ସହ ଆମେ ଜଣାଉଛୁ ଯେ, ଅକ୍ଟୋବର ୩୧ ତାରିଖରେ ଆମେ ଆପଣଙ୍କୁ ଏଠାରେ ସ୍ୱାଗତ କରିବୁ ନାହିଁ । ଆମ ଅନିଚ୍ଛା ସତ୍ୱେ ଆପଣ ଏଠାକୁ ଆସିଲେ ଆମେ ଆପଣଙ୍କୁ ସ୍ୱାଗତ କରିବୁ ନାହିଁ ।’ ଅନେକ ଗାଁରେ ଏବେ ବି ସାଧାରଣ ମୌଳିକ ସୁବିଧା ପହଂଚି ନଥିବା ବେଳେ ସରକାରୀ ଟଙ୍କାର ଏଭଳି ଅପବ୍ୟୟକୁ ବିରୋଧ କରିଛନ୍ତି ଏହି ସ୍ଥାନୀୟ ଆଦିବାସୀ । ସ୍କୁଲ, ହସ୍ପିଟାଲ ଓ ପାନୀୟ ଜଳ ଯୋଗାଣ ପରିବର୍ତ୍ତେ ରାଜନୈତିକ ଫାଇଦା ହାସଲ ପାଇଁ ସର୍ଦ୍ଦାର ପଟେଲଙ୍କ ନାଁରେ ହେଉଥିବା ବିଜ୍ଞାପନକୁ ସେମାନେ ସମାଲୋଚନା କରିଛନ୍ତି ।
ବିନ୍ଧ୍ୟ ଓ ସତରୁପା ପର୍ବତମାଳାର ମଧ୍ୟବର୍ତ୍ତୀ ସ୍ଥାନରେ ଜଙ୍ଗଲ ନଷ୍ଟ କରି ଏହି ସ୍ମାରକୀ ନିର୍ମାଣ କରାଯାଉଥିବାରୁ ଏହା ବିରୋଧରେ ପ୍ରତିବାଦର ଡାକରା ଦେଇଛନ୍ତି ଆଦିବାସୀ ଅଧିକାର କର୍ମୀ । ଅକ୍ଟୋବର ୩୧ରେ ପ୍ରତିମୂର୍ତ୍ତି ଉନ୍ମୋଚନ ଦିନ ସ୍ଥାନୀୟ ଅଂଚଳରେ ବନ୍ଦ ପାଳନ ସହ ପ୍ରତିକାତ୍ମକ ପ୍ରତିବାଦ ଭାବେ ଆଦିବାସୀ ପରିବାର ରୋଷେଇ ବନ୍ଦ କରିବାକୁ ଡାକରା ଦିଆଯାଇଛି । ଏପରିକି ନିଜ ପ୍ରତିବାଦ ଜାହିର କରିବା ଲାଗି ଜାତୀୟ ସ୍ତରର ସାମାଜିକ ଅଧିକାର କର୍ମୀ ମେଧା ପାଟକର, ସର୍ଦ୍ଦାର ପଟେଲଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଆଦିବାସୀଙ୍କ ଅଧିକାରକୁ ଛଡାଇ ନେଇ ଆପଣଙ୍କ ନୂଆ ଅବତାର ପ୍ରତିଷ୍ଠା କରାଯାଉଥିବା ଲେଖିଛନ୍ତି ପାଟକର । ସେ ଲେଖିଛନ୍ତି- ‘ଯେଉଁ ଜମିରେ ଆପଣଙ୍କ ନୂଆ ଅବତାର ପ୍ରତିଷ୍ଠା କରାଯାଇଛି, ଆପଣ ଜାଣନ୍ତି ତାହା କାହାର? ତାହା ଆଦିବାସୀମାନଙ୍କର ।
ଯେଉଁମାନଙ୍କୁ ପଂଚଶୀଳ ଆଧାରରେ ଜଙ୍ଗଲ, ଜମି, ନଦୀ ଆଦି ପ୍ରାକୃତିକ ଉତ୍ସ ଉପରେ ଅଧିକାର ପ୍ରଦାନ କରିଥିଲେ ଆପଣଙ୍କ ସରକାର । ସମ୍ବିଧାନର ପଂଚମ ପରିଚ୍ଛେଦରେ ବାବା ସାହେବ ଆମ୍ବେଦକର ଦେଇଥିଲେ ସ୍ୱରାଜ୍ୟର ଅଧିକାର । ପରବର୍ତ୍ତୀ ସମୟରେ ପେସା ଆଇନ ବଳରେ ଏହାକୁ ସୁରକ୍ଷା ଦିଆଯାଇଛି । ହେଲେ ଆପଣଙ୍କ ଲିଗାସିକୁ ନେଇ ଆଗକୁ ବଢୁଥିବା ଆପଣଙ୍କ ଉତ୍ତରାଧିକାରୀମାନେ ଏହାକୁ ଛଡାଇ ନେଇଛନ୍ତି ।’ କେବଳ ସ୍ଥାନୀୟ ବାସିନ୍ଦା କିମ୍ବା ସାମାଜିକ କର୍ମୀ ନୁହନ୍ତି ରାଜନେତା ମଧ୍ୟ ମୋଦି ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂ ବାଘେଲା କହିଛନ୍ତି, ‘ମୋଦି ସରକାରଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକ ପ୍ରଚାରଧର୍ମୀ ଭେଳିକି । ପ୍ରଥମେ ସିବିଆଇ ଓ ଆରବିଆଇରେ ଏକତା ପ୍ରତିଷ୍ଠା କରନ୍ତୁ ମୋଦି ସରକାର ।
ତଳକୁ ଖସୁଥିବା ଟଙ୍କାର ମୂଲ୍ୟରେ ସୁଧାର ପାଇଁ ଏବଂ ତେଲଦର କମ୍ କରିବା ପାଇଁ ସରକାରରେ ଏକତା ଆଣନ୍ତୁ ।’ ପୂର୍ବରୁ ବିଜେପିରେ ଥିବା ଶଙ୍କର ସିଂ ବାଘେଲା କଂଗ୍ରେସରେ ବିଦ୍ରୋହ କରି ଏବେ ନିର୍ବାସନ ଭୋଗୁଛନ୍ତି । ଗୁଜରାଟ ଗାନ୍ଧିନଗରରେ ସାମ୍ବାଦିକଙ୍କ ସହ ଆଲୋଚନା କରି କହିଛନ୍ତି ଗୁଜରାଟ ୨ଲକ୍ଷ ୫୦ ହଜାର କୋଟି ଟଙ୍କାର ଋଣରେ ବୁଡି ରହିଥିବାବେଳେ ପ୍ରାୟ ୩ ହଜାର କୋଟି ସରକାରୀ ଟଙ୍କାରେ ଏଭଲି ସ୍ମାରକୀ ନିର୍ମାଣ ପଛରେ ବିଜେପିର ଉଦ୍ଦେଶ୍ୟ ବାରି ହୋଇପଡୁଛି । ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସାଦାସିଧା ଜୀବନ ଓ ବିଚାର ସହ ଆଦୌ ତୁଳନୀୟ ନୁହେଁ ତାଙ୍କ ଜନ୍ମବାର୍ଷିକୀରେ ଏଭଳି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରି ରାଜନୈତିକ ଅଭିସନ୍ଧି ପୂରଣ କରିବା । ହେଲେ ବିଦ୍ରୋହୀ ନେତା ଶଙ୍କର ସିଂ ବାଘେଲାଙ୍କ ଏହି ବୟାନରୁ ନିଜକୁ ଦୂରେଇ ନେଇଛି କଂଗ୍ରେସ । ଦଳ କୌଣସି ନକାରାତ୍ମକ ରାଜନୀତିରେ ବିଶ୍ୱାସ କରେନାହିଁ ବୋଲି କହିଛନ୍ତି ଦଳର ମୁଖପାତ୍ର ଶକ୍ତି ସିଂ ଗୋହିଲ । ଦଳ ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ବିରୋଧ କରୁନାହିଁ । କିନ୍ତୁ ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ ସର୍ଦ୍ଦାର ପଟେଲଙ୍କ ନାଁ ବ୍ୟବହାର କରାନଯାଉ ବୋଲି ଦଳ କହିଛି ।