ଆଦିବାସୀ ଯୁବକ ଉଦ୍ଭାବନ କଲେ ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପ ମଡେଲ: ଟଙ୍କା ପୂରାଇଲେ ବାହାରୁଛି ପେଟ୍ରୋଲ

168

କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍। ବଣ ଜଙ୍ଗଲ ଘେରା ବ୍ରାହ୍ମଣୀପାଳରେ ରହୁଥିବା ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ ନିଜ ବୁଦ୍ଧିରେ ତିଆରି କରିଛନ୍ତି ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପର ମଡେଲ। ଯେଉଁଥିରେ ଟଙ୍କା ପୂରାଇଲେ ବାହାରୁଛି ପଟ୍ରୋଲ। ଜିତେନ୍ଦ୍ରଙ୍କ ଏହି ମିନି ପେଟ୍ରୋଲ ପମ୍ପ ମଡେଲକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ର। ମାଟ୍ରିକ ପାସ୍ କରିବା ପରେ ପାଠପଢ଼ା ବନ୍ଦ। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବଣ ଜଙ୍ଗଲରେ ଜିତେନ୍ଦ୍ରଙ୍କ ଦିନ କଟେ। ବଣ ଜଙ୍ଗଲ ଭିତରେ ରହୁଥିବାରୁ ଅନ୍ୟମାନଙ୍କ ପରି ସେ ମଧ୍ୟ ନିଜେ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପେଟ୍ରୋଲ ପକାଇବା ପାଇଁ ଦୀର୍ଘ ୧୫ କିମି ଦୂର ଡୁବୁରି ଯିବାକୁ ପଡ଼ୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଜିତେନ୍ଦ୍ର ଉଦ୍ୟମ ଆରମ୍ଭ କଲେ। କିଛି ପୁରୁଣା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ସଂଗ୍ରହ କରି ଏହି ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପର ମଡେଲ ତିଆରି କରିଛନ୍ତି। ଏଥିରେ ୧୦୦ ଏବଂ ୫୦ ଟଙ୍କିଆ ନୋଟ୍ ପୂରାଇଲେ ବାହାରି ପାରୁଛି ପେଟ୍ରୋଲ। ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପ ମଡେଲ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

ଏ ସଂପର୍କରେ ଜିତେନ୍ଦ୍ର କୁହନ୍ତି, ମୋତେ ପ୍ରାରମ୍ଭିକ ପର‌୍ୟ୍ୟାୟରେ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ବିଫଳତାରୁ ହିଁ ସଫଳତା ରାସ୍ତା ମିଳିଲା। ଆଜି ଯାହା ଦେଖୁଛନ୍ତି ତାହା ଦୀର୍ଘ ୬ ମାସର ପରିଶ୍ରମର ଫଳ ବୋଲି ଜିତେନ୍ଦ୍ର କହିଛନ୍ତି।