ପୋଲିସ ବାବୁଙ୍କ ଦାଦାଗିରି ! ରେଡ୍ କରିଡରରେ ରୋଡ୍ ଷ୍ଟ୍ରାଇକ୍ କଲେ ଆଦିବାସୀ ମହିଳା

37

କନକ ବ୍ୟୁରୋ : ପୁଲିସ ବିରୋଧରେ ଆଦିବାସୀଙ୍କ ରାସ୍ତାରୋକ । ରେଡ କରିଡରରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଆଦିବାସୀ ମହିଳା ପୁରୁଷ । ମାଲକାନଗିରି ଚିତ୍ରକୋଣ୍ଡାରେ ଏହି ବିକ୍ଷୋଭ ଦେଖିବାକୁ ମିଳିଥିଲା । ପାପରମେଟଲା ଥାନାର ଏସ.ଆଇଙ୍କ ଗୁଣ୍ଡାରାଜ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ଚିତ୍ରକୋଣ୍ଡା ବାସିନ୍ଦା । ଲୋକଙ୍କ ଅଭିଯୋଗକୁ ଭିତିକରି ମାଲକାନଗିରି ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି ।

ପୁଲିସର ଗୁଣ୍ଡାରାଜ୍ ବିରୁଦ୍ଧରେ ଚିତ୍ରକୋଣ୍ଡା ବାସିନ୍ଦାଙ୍କର ଅଶାନ୍ତି ଓ ଅସନ୍ତୋଷର ପୁଂଜିଭୁତ ପ୍ରତିବାଦ । ବିଚ୍ଛିନ୍ନାଂଚଳକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳି ସବ୍ ଇନସପେକ୍ଟରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଅଧିବାସୀ । ଦୀର୍ଘଦିନ ଧରି ସବ ଇନିସପେକ୍ଟର ନିରୀହ ଆଦିବାସୀ ମାନଙ୍କୁ ମାଡ ମାରିବା ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି । ପାପରମେଟଲା ଥାନାର ସବ୍ ଇନସପେକ୍ଟର ସୁନୀଲ ସ୍ୱାଇଁଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ରହିଛି । ୨ ବର୍ଷ ଧରି ସେ ଲୋକଙ୍କୁ ଶୋଷଣ କରୁଥିବା କୁହାଯାଏ ।

୧. ଗାଁକୁ କୌଣସି ବ୍ୟକ୍ତି କୁଣିଆ ଆସିଲେ ସୁନୀଲ ତାଙ୍କୁ ଗଂଜେଇ ବେପାରୀ କହି ଲାଂଚ ନମିଳିବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ।
୨. ସ୍ଥାନୀୟ ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ଜବରଦସ୍ତି ବଟି ଆଦାୟ ।
୩. ଜବତ ଗଂଜେଇକୁ ବିକିବାକୁ ଗାଁ ଲୋକଙ୍କୁ ବାଧ୍ୟ କରନ୍ତି ସୁନୀଲ ।
୪. ଘରେ ପୁରୁଷ ନଥିବା ସମୟରେ ମହିଳାଙ୍କୁ ଅସଦାଚରଣର ଅଭିଯୋଗ ।
୫. ପ୍ରତିଟି କଥାରେ ଥାନାରେ ଭର୍ତି କରିବାର ଭୟ ଦେଖାନ୍ତି ସୁନୀଲ୍ ।

ମାଓପ୍ରବଣ ଇଲାକାରେ ପୁଲିସ ହିଁ ଶେଷ ସାହାରା । କିନ୍ତୁ ସେଇ ପୁଲିସ ଯଦି ରକ୍ଷକ ହୋଇ ଭକ୍ଷକ ସାଜେ ତେବେ କାହାକୁ କହିବେ ନିରୀହ ଆଦିବାସୀ । ୩ ଦିନ ଭିତରେ ସୁନୀଲ ସ୍ୱାଇଁଙ୍କ ବଦଳିର ପ୍ରତିଶ୍ରୁୁତି ପରେ ହୁଏତ ବନ୍ଦ ହୋଇଛି ବିକ୍ଷୋଭ କିନ୍ତୁ ଆଇନର ଭୟ ଦେଖାଇ ନିରୀହ ଆଦିବାସୀଙ୍କୁ ଶୋଷଣ ବନ୍ଦ ପାଇଁ ଦାବି କରାଯାଇଛି ।