ରାଜଧାନୀର ଆଶ୍ରମ ସ୍କୁଲରେ ଛାତ୍ରୀ ହୋଇନଥିଲେ ଗର୍ଭବତୀ। ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର, ଖରା ଛୁଟିରେ ଘରକୁ ଯାଇଥିବା ବେଳେ ଘଟିଥିଲା ଘଟଣା

574

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସେବାଶ୍ରମରେ ଆଦିବାସୀ ଛାତ୍ର ଗର୍ଭବତୀ ଘଟଣା । ଆଜି ବିଧାନସଭା ଗୃହରେ ସ୍ପଷ୍ଟିକରଣ ରଖିଛନ୍ତି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆଶ୍ରମ ସ୍କୁଲରେ ନୁହେଁ ବରଂ ଘରେ ଥିବା ବେଳେ ଗର୍ଭବତୀ ହୋଇଛନ୍ତି ଛାତ୍ରୀ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧାରେ ୪ ଜଣ ଛାତ୍ରୀ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । କିନ୍ତୁ ଯେଉଁ ଛାତ୍ରୀ ଜଣକର ରିପୋର୍ଟ ପଜେଟିଭ ଆସିଥିଲା ସେ ଆଶ୍ରମ ସ୍କୁଲରେ ଥିଲା ବେଳେ ନୁହେଁ ବରଂ ସେ ନିଜ ଘରେ ଥିବାବେଳେ ହିଁ ଗର୍ଭବତୀ ହୋଇଛନ୍ତି । ତେବେ ଖରା ଛୁଟିରେ ଘରକୁ ଯାଇଥିବା ବେଳେ ଘଟଣାଟି ଘଟିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଶ୍ରମ ସ୍କୁଲରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏପରିକି ଛାତ୍ରୀମାନଙ୍କର ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ୧୧୨୦ଟି ସିସିଟିଭି ମଧ୍ୟ ଲଗାଯାଇଛି । ଛାତ୍ରୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ବି ଜାରି କରାଯାଇଛି । ଯେଉଁଥିରେ ସେମାନେ ସେମାନଙ୍କର ଅସୁବିଧା ତଥା ସମସ୍ୟା ସଂପର୍କରେ ଅବଗତ କରାଇପାରିବେ ବୋଲି  ମନ୍ତ୍ରୀ କହିଛନ୍ତି । ।

ଅନ୍ୟପଟେ, ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ଉତର ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଗୃହରେ ଜଣାଇଛନ୍ତି ରାଜ୍ୟରେ ୨୧୭ଟି ମିନି ଷ୍ଟାଡିୟମର କାମ ଚାଲିିଛି । ୧୧୮ଟି ମିନି ଷ୍ଟାଡିୟମର କାମ ଆରମ୍ଭ ହୋଇଛି । ଆଜି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଏହାସହ ରାଜ୍ୟ ମାନବାଧିକାର କମିସନଙ୍କ ବାର୍ଷିକ ରିପୋର୍ଟ ବି ଆଇନମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ୧୩ ଓ ୧୪ ତାରିଖରେ ଗୃହକାର୍ଯ୍ୟ ବନ୍ଦ ରହିବ । ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ । ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ । ଆଜି ଆରମ୍ଭ ହେଉଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ।