ଲୋକଙ୍କ ପାଇଁ ଡାକ୍ତରୀ ଚାକିରି ଛାଡ଼ିଲେ, ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ି ପୂର୍ବ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହରାଇଲେ ହୀରାଲାଲ୍

374

ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବା ପାଇଁ ମିଳିଥିଲା । ଶେଷ ପର୍ଯ୍ୟନ୍ତ କିଛି ଠିକ୍ ହୋଇପାରିନଥିଲା । କିଏ ସରକାର ଗଢ଼ିବ ବେଶ କିଛି ସମୟ ଧରି ଫଳାଫଳ ଝୁଲି ରହିଥିଲା । ଶେଷରେ ବାଜି ମାରିନେଲା କଂଗ୍ରେସ । ବିଜେପିର ଗଡ଼ କୁହାଯାଉଥିବା ମଧ୍ୟପ୍ରଦେଶରେ ଏବେ ଚାଲିବ କଂଗ୍ରେସ ରାଜ୍ । ତେବେ ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ଏଯାଏଁ ଛକାପଂଝର ଜାରି ରହିଛି ।

ତେବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିବା ହୀରାଲାଲ ଏବେ ଚର୍ଚ୍ଚାରେ ଅଛନ୍ତି । ସେ ୨ ବର୍ଷ ପୂର୍ବରୁ ଏମ୍ସର ଜଣେ ଡକ୍ଟର ଭାବେ ଚାକିରି କରୁତିଲେ । ଖୁବ୍ କମ୍ ଲୋକ ଏହି ନାମ ଜାଣିଥିବେ । ଚଳିତ ଥର ବିଧାନସଭା ନିର୍ବାଚନରେ ବିଜେପିର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହରାଇଛନ୍ତି ହୀରାଲାଲ୍ । ମନାବର ବିଧାନସଭା ସିଟରେ ବିଗତ ୧୫ ବର୍ଷରେ ବିଜେପିର କବଜା ଥିଲେ ମଧ୍ୟ ହୀରାଲାଲଙ୍କ ଲୋକପ୍ରିୟତା ଆଗରେ ମଳିନ ପଡ଼ିଗଲା ବିଜେପି । ଏଠାରେ ହୀରାଲାଲ୍ ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ରଂଜନ ବଘେଲାଙ୍କୁ ପାଖାପାଖି ୪୨୦୦୦ ଭୋଟିରେ ହରାଇଛନ୍ତି । ଆଦିବାସୀ ଯୁବ ସଂଗଠନ ସହ ଜଡ଼ିତ ହୀରାଲାଲ୍ ନର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ଉଭୟଙ୍କ ନିଦ ଉଡ଼ାଇଦେଇଥିଲେ ।

ନିର୍ବାଚନ ସମୟରେ ହୀରାଲାଲ୍ ଅବକି ବାର ଆଦିବାସି ସରକାରର ନାରା ମଧ୍ୟ ଆରମ୍ଭ କରିଦେଇଥିଲେ । ହୀରାଲଲଙ୍କ ଲୋକପ୍ରିୟତା ଦେଖି କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା । ହୀରାଲାଲଙ୍କ ଜନ୍ମ ଏକ ଆଦିବାସୀ ପରିବାରରେ ହୋଇଥିଲା । ସେ ଏମ୍ସରେ ଡାକ୍ତରୀ ପାଠ ପଢ଼ିଥିଲେ । ୨୦୧୨ରୁ ୨୦୧୫ ମଧ୍ୟରେ ଜଣେ ସିନିୟର ଡାକ୍ତର ଭାବେ ଏମ୍ସରେ କାମ କରୁଥିଲେ । ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ସହକାରୀ ପ୍ରଧ୍ୟାପକ ଭାବେ ଏମ୍ସରେ କାମ କରୁଥିଲେ ।

ଆଉ ତା’ପରେ ୨୦୧୬ରେ ଚାକିରି ଛାଡ଼ି ନିଜ ଅଂଚଳରେ ବିକାଶମୂଳକ କାମ ଆରମ୍ଭ କରିଦେଲେ । ବିଗତ କିଛି ବର୍ଷ ମଧ୍ୟରେ ହୀରାଲାଲ୍ ଆଦିବାସୀଙ୍କ ହକ ପାଇଁ ଲଢ଼େଇ ଲଢ଼ୁଛନ୍ତି । ହୀରାଲାଲ ପାଂଚ ବର୍ଷ ପୂର୍ବରୁ ଜୟ ଆଦିବାସୀ ଯୁବ ଶକ୍ତି ନାମକ ସଂଗଠନ ତିଆରି କରିଥିଲେ । ହୀରାଲାଲ ନିଜ ଅଂଚଳରେ ଅନେକ ସିମେଂଟଣ୍ଟ କାରଖାନା ବିରୋଧରେ ଲଢ଼େଇ ଲଢ଼ୁଥିଲେ, ଯେଉଁମାନେ ଆଦିବାସୀଙ୍କ ଜମି ଉପରେ ହକ୍ ଜମେଇ ବସିଥିଲେ । ଏହା ବ୍ୟତୀତ ପୋଲିସ ଅତ୍ୟାଚାର ବିରୋଧରେ ମଧ୍ୟ ହୀରାଲାଲ୍ ସ୍ୱର ଉଠାଇଥିଲେ ।