ବଙ୍ଗୋପସାଗରରେ ଶେଷ ହେଲା ମାଲାବାର ଏକ୍ସରସାଇଜ୍

37

କନକ ବ୍ୟୁରୋ: ବଙ୍ଗୋପସାଗରରେ ଶେଷ ହୋଇଛି ମାଲାବାର ଏକ୍ସରସାଇଜ୍ । ଯୁଦ୍ଧାଭ୍ୟାସରେ ସାମିଲ୍ ହୋଇଥିଲେ ଆମେରିକା, ଜାପାନ ଓ ଭାରତର ଅନେକ ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହି ମିଳିତ ସମରାଭ୍ୟାସ ଆରମ୍ଭ ହୋଇଥିଲା ଜୁଲାଇ ମାସ ୧୦ ତାରିଖରୁ ।

ପୂର୍ବରୁ ଏସିଆରେ ଚୀନର ପ୍ରଭାବ ରୋକିବାକୁ ଏହି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି କୁହାଯାଉଥିଲା । ମାଲାବାର ଏକ୍ସରସାଇଜ୍ ପାଇଁ ଜାପାନ ନିଜର ସର୍ବବୃହତ ଯୁଦ୍ଧପୋତ ଇଜୁମୋକୁ ନିୟୋଜିତ କରିଥିବା ବେଳେ ଆମେରିକା ପକ୍ଷରୁ ରହିଥିଲା ଆମେରିକୀୟ ଯୁଦ୍ଧପୋତ ୟୁଏସଏସ୍ ନିମିତ୍, କ୍ଷେପଣାସ୍ତ୍ର ବିଧ୍ୱଂସକ ପ୍ରିନ୍ସଟନ୍, ସୁପ୍ ଓ କିଡ୍ ।

ସେହିପରି ଭାରତୀୟ ଯୁଦ୍ଧପୋତ ଆଇଏନଏସ୍ ବିକ୍ରମାଦିତ୍ୟ ମଧ୍ୟ ସାମିଲ ହୋଇଥିଲା ଏହି ମିଳିତ ଯୁଦ୍ଧାଭ୍ୟାସରେ । ଯୁଦ୍ଧାସ୍ତ୍ର ବହନକାରୀ ବୁଡ଼ାଜାହାଜର ସମୁହ ପରିଚାଳନା, ମେରିଟାଇମ ପାଟ୍ରୋଲିଂ, ଆଂଟି ସବମେରାଇନ୍ ୱାର୍ଫେୟାର, ସମୁହ ଯୁଦ୍ଧାଭ୍ୟାସ, ସୈନିକ ସମ୍ବନ୍ଧ ଓ ସହଯୋଗ ବୃଦ୍ଧି, ଏୟାର ଡିଫେନ୍ସ ଦିଗରେ ଏହି ସମରାଭ୍ୟାସ ଭାରତ ପାଇଁ ଲାଭଦାୟକ ହୋଇଥିବା ବିଶେଷଜ୍ଞ ମତ ଦେଇଛନ୍ତି ।