ଏମକେସିଜିରେ ବାରମ୍ବାର ପାୱାରକଟ୍ ଯୋଗୁଁ ମୋବାଇଲ୍ ଟର୍ଚ୍ଚରେ ଚିକିତ୍ସା କଲେ ଡାକ୍ତର ! ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଅସନ୍ତୋଷ

29

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ବୃହତ୍ତ ମେଡ଼ିକାଲରେ ଅନ୍ଧାରୀ ଚିକିତ୍ସା । ବ୍ରହ୍ମପୁର ଏମକେସିଜିରେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ମୋବାଇଲ୍ ଟର୍ଚରେ ଚିକିତ୍ସା କରିଛନ୍ତି ଡାକ୍ତର । ଏଭଳି ଚିକିତ୍ସା ଆଜି ସକାଳ ପ୍ରାୟ ୮ଟା ସମୟରେ ଦେଖିବାକୁ ମିଳିଛି । ଆଜି ସକାଳୁ ଏମକେସିଜିରେ ବାରମ୍ବାର ବିଦ୍ୟୁତ୍ କାଟ ହୋଇଥିଲା । ଫଳରେ ଡାକ୍ତରଖାନାରେ ଅପେକ୍ଷା କରିଥିବା ରୋଗୀ ତାତିରେ ଡହଳ ବିକଳ ହେଉଥିଲେ । ଏହି ସମୟରେ ଡାକ୍ତରଖାନାକୁ ଡାକ୍ତର ଆସିଥିଲେ ସୁଦ୍ଧା କିଛି ସମୟ ଧରି ଚିକିତ୍ସା କରିପାରିନଥିଲେ ।

ତେବେ କିଛି ସମୟ ଧରି ଅପେକ୍ଷା କରିବା ପରେ ବି ବିଜୁଳି ନଆସିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ୍ ଟର୍ଚ୍ଚରେ ରୋଗୀ ଦେଖିବା ସହ ପ୍ରେସକ୍ରିପସନ୍ ଲେଖିଛନ୍ତି । ତେବେ ଡାକ୍ତରଖାନାରେ ବିଦ୍ୟୁତ୍ କାଟ୍ ହେବ ନାହିଁ ବୋଲି ସରକାରଙ୍କ କଡା ନିର୍ଦେଶ ଥିବା ବେଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ବାରମ୍ବାର ପାୱାରକଟ୍ ହେଉଛି କାହିଁକି ? ଯଦି ମେଡିକାଲରେ ବିଦ୍ୟୁତ୍ କାଟ ହେଲା ତେବେ ଜେନେରେଟର ଲାଗିଲା ନାହିଁ କାହିଁକି ?  ଆଜିର ଚିକିତ୍ସା ବ୍ୟବସ୍ଥା ଦେଖିଲେ ଏମିକି କିଛି ପ୍ରଶ୍ନ ସାଧାରଣ ଭାବେ ଆସିବା ସ୍ୱଭାବିକ ।