ଟ୍ୟାକ୍ସି ଠାରୁ ବି କମ ରହିଛି ହେଲିକାପ୍ଟର ଭଡା । ଖୁବ କମ ଟଙ୍କାରେ କରିପାରିବେ ସିମଲା ଯାତ୍ରା । 

30

ଖରା ଛୁଟିରେ ସିମଲା ଯିବା ପାଇଁ ଯୋଜନା କରୁଥିବା ଲୋକ ମାନଙ୍କ ପାଇଁ ଏକ ଖୁସିର ଖବର । ଏବେ ଆପଣଙ୍କୁ ସିମଲା ଯିବା ପାଇଁ ଏଣେ ତେଣେ ବୁଲିବାକୁ ପଡିବନାହିଁ । ଶିମଲା ଯିବା ପାଇଁ ଇଚ୍ଛୁକ ଯାତ୍ରୀ ମାନେ ଚଣ୍ଡିଗଡରୁ ୨୦ ମିନିଟ ମଧ୍ୟରେ ସିଧାସଳଖ ସିମଲା ଯାତ୍ରା କରିପାରିବେ । ଏହା କେବଳ ପବନହଂସ ଦ୍ୱାରା ସମ୍ଭବ ହୋଇପାରିବ । ହେଲିକାପ୍ଟର ଯୋଗେ ଆକାଶ ମାର୍ଗରେ ଯାତ୍ରା କରି ସିମଲା ଖୁବ ସହଜରେ ପହଞ୍ଚି ପାରିବେ । ପବନହଂସ ସିମଲା ସରକାରଙ୍କ ସାହାଯ୍ୟରେ ଏହି ବ୍ୟବସ୍ଥାକୁ ସଫଳ ପୂର୍ବକ ସଂମ୍ପାଦିତ କରିପାରିଛି । ଏହି ବ୍ୟବସ୍ଥା କେବଳ ସିମଲାରୁ ଆରମ୍ଭ କରି ଚଣ୍ଡିଗଡ ମଧ୍ୟରେ ସିମିତ ରହିବ ।

ପବନହଂସର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ପବନହଂସର ହେଲିକାପ୍ଟର ଜୁନ ୪ ତାରିଖରେ ସିମଲାରୁ ଚଣ୍ଡିଗଡ ପର୍ଯ୍ୟନ୍ତ ତାର ପ୍ରଥମ ଉଡାଣ ଆରମ୍ଭ କରିବ । ଏହି ହେଲିକାପ୍ଟରରେ ମାତ୍ର ୨୦ ଜଣ ଯାତ୍ରୀ ଯାତ୍ରା କରିପାରିବେ । ପୂର୍ବରୁ ଯାତ୍ରୀ ମାନେ ଗୋଟେ ଥର ସିମଲା ଯିବା ପାଇଁ ଟ୍ୟାକ୍ସିରେ ଖର୍ଚ୍ଚ କରୁଥିବା ଟଙ୍କା ଠାରୁ ଖୁବ କମ ଟଙ୍କା ରହିଛି ହେଲିକାପ୍ଟରର ଭଡା । ଏହାର ଭଡା ମୁଣ୍ଡପିଛା ୨,୯୯୯ ଟଙ୍କା ରହିଛି । ମୋଟାମୋଟି ଭାବରେ କହିବାକୁ ଗଲେ ମାତ୍ର ୨,୯୯୯ ଟଙ୍କା ବିନିମୟରେ ଯାତ୍ରୀ ମାନେ ସିମଲା ଖୁବ ସହଜରେ ପହଞ୍ଚିପାରିବେ । ତେବେ ପବନହଂସ ଅଧିକାରୀ ଏହା ମଧ୍ୟ ସୂଚନା ଦେଇଛନ୍ତି, ସକାଳ ୮ଟାରେ ହେଲିକାପ୍ଟର ସିିମଲା ଛାଡିବ ଏବଂ ୮.୩୦ରେ ଚଣ୍ଡିଗଡରେ ଲ୍ୟାଣ୍ଡ କରିବ । ସେଠାରେ ଏହି ହେଲିକାପ୍ଟର ଚଣ୍ଡିଗଡରୁ ସିମଲା ଅଭିମୁଖେ ସକାଳ ୯ଟାରୁ ବାହାରି ୯.୩୦ରେ ପହଞ୍ଚିବ । ଏଥି ସହିତ, ସପ୍ତାହରେ କେବଳ ଦୁଇଦିନ ସୋମବାର ଏବଂ ଶୁକ୍ରବାର ଏହି ସୁବିଧା ଉପଲବ୍ଧ ରହିବ । ପବନହଂସ ଅଧିକାରୀଙ୍କ ମୁତାବକ, ଯଦି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଏ କିମ୍ବା ଅଧିକ ଗ୍ରାହକ ଏଥିରେ ଯାତ୍ରା କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ଏହାର ସମୟ ସୀମା ବୃଦ୍ଧି କରାଯିବ ।