ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିନ୍ନରଙ୍କ ହଙ୍ଗାମା

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବିମାନ ବନ୍ଦରରେ କିନ୍ନରଙ୍କ ହଙ୍ଗାମା । ବିମାନ ବନ୍ଦରରେ ଏୟାର ଇଣ୍ଡିଆ କାର୍ଯ୍ୟାଳୟରେ ପ୍ରାୟ ଶହେରୁ ଅଧିକ କିନ୍ନର ହଙ୍ଗାମା କରିଛନ୍ତି । ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯାତ୍ରା କରିଥିବା ସମୟରେ ମୀରା ପରିଡାଙ୍କ ବ୍ୟାଗ ହଜିଯାଇଥିବା ପ୍ରତିବାଦରେ କିନ୍ନରମାନେ ଦୀର୍ଘ ସମୟ ଧରି ଏୟାରପୋର୍ଟ ହଙ୍ଗାମା କରିଥିଲେ । ଏୟାର ଇଣ୍ଡିଆ ବୁକିଂ କାଉଂଟର ସମ୍ମୁଖରେ ଧାରଣା ଦେବା ସହ ହଟ୍ଟଗୋଳ କରିବାରୁ ଦୀର୍ଘ ସମୟ ଧରି ବୁକିଂ ବନ୍ଦ ରହିଥିଲା ।

ବ୍ୟାଂକକରେ ହେଉଥିବା ଏକ କନଫରେନ୍ସରେ ଯୋଗ ଦେବା ପାଇଁ ୧୯ତାରିଖରେ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଇଥିଲେ ମୀରା ପରିଡା । ନୂଆଦିଲ୍ଲୀରେ ପହଂଚିବା ପରେ ତାଙ୍କ ବ୍ୟାଗ ହଜିଯାଇଥିବା ନେଇ ସେ ଏୟାର ଇଣ୍ଡିଆକୁ ଜଣାଇଥିଲେ । ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇଥିଲା । ବ୍ୟାଗରେ ମୀରାଙ୍କ ଜରୁରୀ ଔଷଧ ଓ କାଗଜପତ୍ର ଥିଲେ ମଧ୍ୟ ବ୍ୟାଗ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା । ଦୀର୍ଘ ସମୟ ଧରି କିନ୍ନରଙ୍କ ହଙ୍ଗାମା ପରେ ଏୟାର ଇଣ୍ଡିଆ ପକ୍ଷରୁ ବ୍ୟାଗ ମିଳିଥିବା ନେଇ ସୂଚନା ଦିଆଯାଇଥିଲା । ଏହାପରେ କିନ୍ନରଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା ।