କିନ୍ନର ହେଲେ କୁଳବଧୂ ! ମାମା କିନ୍ନରଙ୍କୁ ଜୀବନସାଥୀ ଭାବେ ବାଛିଲେ ସରୋଜ, ଏକ ନିଆରା ପ୍ରେମ କାହାଣୀକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା

56

କନକ ବ୍ୟୁରୋ : ପାରାଦୀପ ଉପକଣ୍ଠ ରଂଗିଆଗଡ଼ରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର । ନିଆରା ଏଇଥିପାଇଁ ଯେ ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି ଖୋର୍ଦ୍ଧା ଅଂଚଳର ଯୁବକ ସରୋଜ ସାହୁ । ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ମାମା କିନ୍ନରଙ୍କ ହାତ ଧରିଛନ୍ତି ସରୋଜ ସାହୁ । ଯାହାକୁ ଦେଖିବାପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଏହା ଏବେ ପୂରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସରୋଜ ପାରାଦୀପ ଯାଇଥିବା ବେଳେ ସମୁଦ୍ର କୂଳରେ କିନ୍ନର ମାମାଙ୍କ ସହିତ ଦେଖା ହୋଇଥିଲା । ପ୍ରଥମ ଦେଖାରେ ହିଁ ସରୋଜ ଭଲପାଇ ବସିଥିଲେ ମାମାଙ୍କୁ । ଆଖିରେ ଆଖି ମିଶିବା ପରେ ଉଭୟଙ୍କ ମନ ମିଶିବାକୁ ବେଶି ସମୟ ଲାଗିନଥିଲା । ଆଉ ଏହାପରେ ଫୋନ ନମ୍ବର ଦିଆନିଆ । ବାସ୍ ଏଇଠୁ ଉଭୟଙ୍କ ପ୍ରେମର ଗାଡି ଗଡିବା ଆରମ୍ଭ ହୋଇଥିଲା । କିଛି ଦିନ ଫୋନରେ କଥାବାର୍ତା ଓ ଫେସବୁକରେ ଚାଟିଂ ପରେ ଦୁହିଁଙ୍କ ସଂପର୍କ ନିବିଡ ହୋଇଥିଲା । ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଉଭୟ ନିଷ୍ପତି ନେଇଥିଲେ ।

କିନ୍ତୁ ଏଥିରେ ବାଧକ ସାଜିଥିଲେ ସରୋଜଙ୍କ ପରିବାର । ତେବେ ପ୍ରେମିକାକୁ ପାଇବା ପାଇଁ ପରିବାରକୁ ପଛ କରି ଦେଇଥିଲେ ସରୋଜ । ପରିବାରର ସମ୍ମତି ମିଳିନଥିଲେ ବି ବାଜା ବାଣ ରୋଷଣି ସହ ବରଯାତ୍ରୀ ନେଇ ପାରାଦୀପ ଗଡ଼ର ଏକ ଶନି ମନ୍ଦିରରେ ପହଁଚିଥିଲେ ସରୋଜ । ସେଠାରେ ଦୁଇଜଣଙ୍କ ବିବାହ ବେଶ ଧୁମଧାମରେ ହୋଇଥିଲା । ଏହି ବିବାହକୁ ଆୟୋଜନ କରିଥିଲେ ପାରାଦୀପ କିନ୍ନର ସଂଘ ମୁଖ୍ୟ ରାଧା ମା’ ।