ସୁନ୍ଦରୀ ପାଇଁ ଯଶୋଦା ଆସୁଛି ।

ବାଘୁଣୀକୁ ଧରିବାକୁ ବନବିଭାଗର ଭରସା ଯଶୋଦା । ପୂର୍ବରୁ ଜଙ୍ଗଲୀ ହାତୀକୁ କାବୁ କରିଛି ଯଶୋଦା

206

କନକ ବ୍ୟୁରୋ : ସାତକୋଶିଆରେ ସୁନ୍ଦରୀକୁ ଧରିବା ପାଇଁ ଲୋଡା ହେଲା ହାତୀ । ଏଥିପାଇଁ ଆଜି ଯଶୋଦାକୁ ଚନ୍ଦକାରୁ ସାତକୋଶିଆ ପଠାଯାଇଛି । ସେଠାରେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ କୁମକୀ ହାତୀ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ । ଏନେଇ ସମସ୍ତ ବନବିଭାଗ ସମସ୍ତ ପ୍ରକାର ଏକରକମ ଶେଷ କରିଛି ।

ଦୀର୍ଘଦିନ ଧରି ସାତକୋଶିଆରେ ଆତଙ୍କ ସୃଷ୍ଟି କରିଥିବା ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ନାକେଦମ ହେଲାଣି ବନବିଭାଗ । ବାରମ୍ବାର ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିପାରୁନାହିଁ ବନବିଭାଗ ଟିମ୍  । ଆଉ ଏଭଳି ସମୟରେ ଯଶୋଦା ବନବିଭାଗ ପାଇଁ ସାହାରା ପାଲଟିବାକୁ ଯାଉଛି । କାରଣ ପୂର୍ବରୁ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ହାତୀର ସାହାର ନେବାର ବହୁ ନଜିର ରହିଛି ।

ସାଧାଣରତଃ ବାଘ ହାତୀକୁ ଆକ୍ରମଣ କରିନଥାଏ । ତା ସହ ହାତୀ ଶକ୍ତିଶାଳୀ ହୋଇଥିବାରୁ ହାତୀ ଉପରେ ବସି ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବି ସୁଯୋଗ ରହିଛି । ହାତୀ ଉପରକୁ ଡେଇଁ ବାଘ, ଆକ୍ରମଣ କରିବା ଏତେ ସହଜ ନୁହେଁ । ଜଙ୍ଗଲ ମଧ୍ୟରେ ବାଘ-ହାତୀ ଲଢେଇ ବି କରନ୍ତି ନାହିଁ । ତେଣୁ ହାତୀ ପିଠିରେ ବସି ବାଘକୁ ନିଶ୍ଚେତକ ଦେଇଥାନ୍ତି ଟ୍ରାଙ୍କୁଲାଇଜର ଟିମ୍ ।

ପୂର୍ବରୁ ବନବିଭାଗ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁନ୍ଦରୀ ଦେହରେ ଏହି ଗୁଳି ବାଜିନଥିଲା । ଆଉ ଏହାପରେ କୁହାଗଲା କି ସାତକୋଶିଆର କୋର ଏରିଆକୁ ଚାଲି ଯାଇଛି ସୁନ୍ଦରୀ । ଏଥିପାଇଁ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାଛଡା ପୂର୍ବରୁ ଜଙ୍ଗଲୀ ହାତୀଙ୍କୁୁ କାବୁ କରିବାରେ ଯଶୋଦା ବନ ବିଭାଗ ପାଇଁ ବେଶ ସହାୟକ ହୋଇଛି । ଏଣୁ ବର୍ତମାନ ବାଘୁଣି ଧରିବା ପାଇଁ ଯଶୋଦା ଭରସା । ହାତୀ ପିଠିରେ ବସି ବାଘକୁ ସଫଳତାର ସହ ଟ୍ରାଙ୍କୁଲାଇଜ କରିବାର ନଜିର ଥିବାରୁ ଆଗକୁ ବନ ବିଭାଗ ସୁନ୍ଦରୀକୁ ଧରିବାକୁ ସକ୍ଷମ ହେବ ବୋଲି ଆଶା ବାନ୍ଧିଛି ।