ବର୍ଷା ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

38

କନକ ବ୍ୟୁରୋ: ବର୍ଷା ପାଇଁ ବାତିଲ ହେଲା ଟ୍ରେନ । ରେଳଧାରଣାରେ ବର୍ଷା ପାଣି ଜମି ରହିବା କାରଣରୁ ଅନେକ ଟ୍ରେନକୁ ବାତିଲ କରିଛି ପୂର୍ବତଟ ରେଳବାଇ । ଉତ୍ତରପୂର୍ବ ସୀମାନ୍ତ ରେଳପଥର ଗାଈଶାଳ ନିକଟ କିଶନଗଞ୍ଜ ଓ ପାଞ୍ଜିପାରା ଠାରେ ଏଭଳି ସ୍ଥିତି ଉପୁଜିବା ଦ୍ୱାରା କିଛି ଟ୍ରେନର ଗତିପଥ ବଦଳା ଯାଇଥିବା ବେଳେ ଆଉ କିଛିକୁ ବାତିଲ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରପୂର୍ବ ସୀମାନ୍ତ ରେଳପଥର କଟିହାର ଡିଭିଜନ କିଶନଗଞ୍ଜ ଷ୍ଟେସନ ନିକଟରେ ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଛି । ଧିରେଧିରେ ବନ୍ୟାଜଳ ବଢ଼ୁଥିବାରୁ ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡିଛି । ନିକଟସ୍ଥ ଯେ କୌଣସି ବଡ ଷ୍ଟେସନରେ ଟ୍ରେନକୁ ଅଟକାଇ ରଖିବାକୁ ସମସ୍ତ ଡିଆର୍ଏମ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଟ୍ରେନରେ ଅଟଳି ରହିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ ଓ ପାନୀୟ ଜଳର ସୁବିଧା କରିବା ପାଇଁ ମଧ୍ୟ କୁହାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ବାତିଲ କରାଯାଇଥିବା ଟ୍ରେନଗୁଡିକର ବିବରଣୀ :
୧୩ ତାରିଖ ରବିବାର ଗୌହାଟୀରୁ ଛାଡିବାକୁ ଥିବା ୧୫୬୪୦ ଗୌହାଟୀ-ପୁରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିଭଳି ରେଳପଥ ବିଛିନ୍ନ ହେବା କାରଣରୁ ଅଗଷ୍ଟ ୧୫ ତାରିଖରେ ପୁରୀରୁ ଛାଡିବାକୁ ଥିବା ୧୫୯୩୦ପୁରୀ-ଗୌହାଟୀ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ୧୩ ତାରିଖ ରବିବାର ଦିବ୍ରୁଗଡରୁ ଛାଡିବାକୁ ଥିବା ଦିବ୍ରୁଗଡ-ଚେନ୍ନାଇ ଏଗମୋର ଏକ୍ସପ୍ରେସକୁ ବାତିଲ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

୧୨ ତାରିଖରେ ଦେବ୍ରୁଗଡ ଷ୍ଟେସନରୁ ବାହାରିଥିବା ୧୫୯୦୬ ଦିବ୍ରୁଗଡ-କନ୍ୟାକୁମାରୀ ବିବେକଏକ୍ସପ୍ରେସ ଗୌହାଟୀ ଠାରୁ ସନ୍ଧ୍ୟା ୬ଟା ପରିବର୍ତ୍ତେ ୧୩ ତାରିଖ ଦିନ ୧୧ଟା୪୫ରେ ଛାଡିଛି । ସେହିଭଳି ଗୌହାଟୀରୁ ଛାଡିଥିବା ୧୨୫୧୦ ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ ବାରପେଟା ରୋଡରେ ଅଟକି ରହିଥିବା ସୂଚନା ମିଳିଛି ।