ଅମୃତସର ରେଳ ଦୁର୍ଘଟଣାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ଅଜଣା ବ୍ୟକ୍ତିଙ୍କ ନାଁରେ ଜିଆରପିର ଏଫଆଇଆର ସେପଟେ, ଆୟୋଜକ ଫେରାର

52

କନକ ବ୍ୟୁରୋ: ଅମୃତସର ଟ୍ରେନ୍ ଆକ୍ସିଡେଂଟ୍ ଘଟଣାରେ ସାମନାକୁ ଆସିଲା ରେଳବାଇର ମିଛ । ଦୁର୍ଘଟଣାକୁ ନେଇ ନିଜକୁ ଦୋଷମୁକ୍ତ କରିବାକୁ ବାରମ୍ବାର ପ୍ରୟାସ ଚଳାଇଥିବା ରେଲୱେର ବୟାନ ସଂପୂର୍ଣ୍ଣ ମିଛ ବୋଲି ଜଣାପଡିଛି । ଯେଉଁ ସ୍ଥାନରେ ଡିଏମୟୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ସ୍ଥାନ ପୂର୍ବରୁ ଏକ ବୁଲାଣି ରହିଛି । ଯେଉଁଥି ପାଇଁ ରେଳଧାରଣା ଉପରେ ଲୋକ ଜମା ହୋଇଥିବା ଡ୍ରାଇଭର୍ ବା ଲୋକୋ ପାଇଲଟ୍ ଜାଣି ପାରିନଥିଲା ବୋଲି ସଫେଇ ଦେଇଥିଲା ରେଳବିଭାଗ । କିନ୍ତୁ ପରେ ଏହା ସଂପୂର୍ଣ୍ଣ ମିଛ ବୋଲି ଜଣାପଡିଛି । କାରଣ ଛାନଭିନ୍ ପରେ ଦୁର୍ଘଟଣାସ୍ଥଳ ପୂର୍ବରୁ କୌଣସି ବୁଲାଣି ନଥିଲା ବୋଲି ଜଣାପଡିଛି । ଜୋଡା ଫାଟକ ଦୁଇ ପାଖରେ ଜଳନ୍ଧର-ଅମୃତସର ରେଳ ଟ୍ରାକ୍ ସଂପୂର୍ଣ୍ଣ ସିଧା ରହିଥିବା ଜଣାପଡିଛି । ତେଣୁ ଟ୍ରେନ୍ ଟ୍ରାକ୍ ଉପରେ ଲୋକ ଜମା ହୋଇଥିବା ଡ୍ରାଇଭର ଦେଖି ନପାରିବା ରେଳବାଇର ଏକ ବଡ ମିଛ ବୋଲି ଜଣାପଡିଛି । ଏହା ସହ ଲୋକମାନେ ରାବଣପୋଡି କାର୍ଯ୍ୟକ୍ରମ ଦେଖିବାକୁ ସୁବିଧା ପାଇଁ ରେଳଧାରଣା ପାଖରେ କାଠ ସବୁ ପକାଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଲଇଡି ଲାଇଟର ମୁହଁ ମଧ୍ୟ ରେଳଧାରଣା ଆଡକୁ ରହିଥିଲା । ତେଣୁ ଲୋକମାନଙ୍କୁ ଦେଖିବା ଡ୍ରାଇଭର ପାଇଁ ସମ୍ଭବ ଥିଲା । ଖାଲି ସେତିକି ନୁହେଁ, ରାବଣପୋଡି କାର୍ଯ୍ୟକ୍ରମ ପାଇଁ ରେଳ ଧାରଣା ପାଖରେ ଏତେ ସବୁ ଆୟୋଜନ ଚାଲିଥିବା ବେଳେ ରେଳ ଟ୍ରାକ୍ର ସୁରକ୍ଷାର ଦାୟିତ୍ୱ ନେବାକୁ ଆରପିଏଫ କେଉଁଠି ଥିଲା । ଏହା ସହ ରେଳବାଇର ଇଂଟେଲିଜେନ୍ସ ୟୁନିଟ୍ କଣ କରୁଥିଲା ଏବଂ ରେଳବାଇ ଅଧିକାରୀ ଓ ସୁରକ୍ଷାକର୍ମୀ କେଉଁଠି ଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ସେପଟେ, ଅମୃତସର ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଅଜଣା ବ୍ୟକ୍ତିଙ୍କ ନାଁରେ ଏଫଆଇର ଦାୟର କରିଛି ଜିଆରପି । ଘଟଣାର ଅସଲ ଦୋଷୀଙ୍କୁ ଏ ଯାଏଁ ଚିହ୍ନଟ କରାଯାଇପାରିନାହିଁ । ତେବେ ରାବଣପୋଡି ଆୟୋଜନ କରିଥିବା ଆୟୋଜକଙ୍କୁ ଏଥିପାଇଁ ଦାୟୀ କରାଯାଇଛି । ତେବେ ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି । ଏହା ସହ ଟ୍ରେନ୍ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯିବା ପରେ ରାମଲୀଳା ଆୟୋଜକଙ୍କ ଉପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି ।

ଦୁର୍ଘଟଣାସ୍ଥଳରେ ରାମଲୀଳା ଆୟୋଜନ କରିଥିବା ସୌରଭ ମଦନଙ୍କ ଘର ଉପରକୁ ହୋଇଛି ପଥର ମାଡ । ଅମୃତସରସ୍ଥିତ ସୌରଭ ମଦନଙ୍କ ଘର ଉପରକୁ କିଛି ଅଜଣା ବ୍ୟକ୍ତି ପଥର ମାଡ କରିଥିଲେ । ଫଳରେ ମଦନଙ୍କ ବାସଭବନରେ ପୋଲିସ ସୁରକ୍ଷା ବଢାଇ ଦିଆଯାଇଛି । ତେବେ ଘଟଣାରେ ଟ୍ରେନ ଡାଇଭରକୁ ଗିରଫ କରାଯାଇପାରିନାହିଁ । ଏଫଆଇଆରରେ ଡ୍ରାଇଭରଙ୍କ ନାଁ ନଥିବାରୁ ତାଙ୍କୁ ଗିରଫ କରାଯାଇପାରିନାହିଁ ।