ଦେଶର ସବୁଠୁ ବଡ ଟ୍ରେନ ଲୁଟ୍ । ବଗିରେ ଥିଲା ୩୪୨ କୋଟି ଟଙ୍କା, ଜଗିଥିଲେ ୧୮ ବନ୍ଧୁକଧାରୀ ପୋଲିସ । କିନ୍ତୁ ସମସ୍ତଙ୍କ ଆଖିରେ ଧୂଳି ଦେଇ ଲୁଟ ହୋଇଥିଲା ଟଙ୍କା

41

୭୩୦ ଦିନ, ୨୦୦୦ରୁ ଅଧିକ ଲୋକଙ୍କୁ ପଚାରଉଚରା । ୧ ଲକ୍ଷରୁ ଅଧିକ କଲ ବିବରଣୀର ଯାଞ୍ଚ ଆଉ ଶେଷରେ ନାସାର ନିଆଗଲା ସାହାର୍ଯ୍ୟ । ଆଉ ସବୁ ପରେ ଭାରତର ସବୁଠୁ ବଡ ଟ୍ରେନ ଲୁଟ ଉପରୁ ପରଦା ଉଠିଥିଲା । କିଏ ଏହି ଲୁଟ୍ କରିଥିଲା ତାହା ସ୍ପଷ୍ଟ ହୋଇ ଯାଇଥିଲା । ୮ ଅଗଷ୍ଟ ୨୦୧୬ରେ ତାମିଲନାଡୁର ସଲେମରୁ ଚେନ୍ନାଇକୁ ପାସେଞ୍ଜର ଟ୍ରେନରେ ୩୪୨ କୋଟି ନିଆଯାଉଥିଲା । ଆଉ ଏହି ଟଙ୍କାର ସୁରକ୍ଷାରେ ଥିଲେ ୧୮ ଜଣ ବନ୍ଧୁକଧାରୀ ପୋଲିସ । କିନ୍ତୁ ଏତେ ସବୁ ସୁରକ୍ଷା ପରେ ମଧ୍ୟ ଲୁଟ୍ ହୋଇଥିଲା ଟଙ୍କା । କିନ୍ତୁ ଏହି ଲୁଟର ଦୁଇ ବର୍ଷ ପରେ ଏହା ଉପରୁ ପରଦା ଉଠିଛି ।

୮ ଅଗଷ୍ଟ ୨୦୧୮ । ତାମିଲନାଡୁର ସଲେମ ରେଲୱେ ଷ୍ଟେସନରୁ ଚେନ୍ନାଇ ଅଭିମୁଖେ ବାହାରିଥିଲା ସଲେମ ଚେନ୍ନାଇ ଇଗମୋର ଏକ୍ସପ୍ରେସ ଟ୍ରେନ । ଏହି ପାସେଞ୍ଜର ଟ୍ରେନର ଦୁଇ ବଗିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୩୪୨ କୋଟି ଟଙ୍କା ନିଆଯାଉଥିଲା । ପ୍ରାୟ ୨୨୬ଟି ଅଲଗା ଅଲଗା ବକ୍ସରେ ୩୪୨ କୋଟି ଟଙ୍କା ନିଆଯାଉଥିଲା । ଟ୍ରେନ ଛାଡିବା ଠାରୁ ଗନ୍ତବ୍ୟସ୍ଥଳର ଦୂରତା ଥିଲା ମାତ୍ର ୧୪୦ କିଲୋମିଟର । ରାତିର ଅନ୍ଧାରରେ ୭୦ କିଲୋମିଟର ବେଗରେ ଯାଉଥିବା ଟ୍ରେନ ଦୁଇ ଘଣ୍ଟା ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା । ତେବେ ବାଟ ମଝିରେ ଟ୍ରେନ ଇଞ୍ଜିନ ପରିବର୍ତ୍ତନ କରିବାକୁ ଥିବାରୁ କିଛି ସମୟର ବିଳମ୍ବ ମଧ୍ୟ ହୋଇଥିଲା । ତେବେ ଇଞ୍ଜିନ ପରିବର୍ତ୍ତନ ପରେ ଯେତେବେଳେ ଟ୍ରେନ ଆଗାମୀ ଷ୍ଟେସନରେ ପହଞ୍ଚିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଟ୍ରେନରୁ ଲୁଟ୍ ହୋଇସାରିଥିଲା । ଲୁଟେରା ମାନେ ବଗିର ଉପରପାଶ୍ୱର୍ରେ ଦୁଇ ଫୁଟର ଗାତ କରି ୫ କୋଟି ୭୮ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ପୂରା ଫିଲ୍ମ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଟ୍ରେନରେ ଇଲେକଟ୍ରିକ ଇଞ୍ଜିନ ଲଗାଯିବା ବଗିରେ ଗାତ କରି ଦେଇଥିଲେ ଲୁଟେରା । ଆଉ ଟ୍ରେନ ଗଡିବାର କିଛି ସମୟ ମଧ୍ୟରେ ବଗି ମଧ୍ୟରୁ ଟଙ୍କା ଧରି ଛୁ ହୋଇ ଯାଇଥିଲେ ଲୁଟେରା । ପ୍ରଥମେ ରେଲୱେ ପୋଲିସ ପରେ ଲୋକାଲ ପୋଲିସ ଏହି ମାମଲାର ଯାଞ୍ଚ କରିବା ଆରମ୍ଭ କରିଥିଲେ । କିନ୍ତୁ ଚୋରି ଏଭଳି ଭାବେ ହୋଇଥିଲା ଯେ, ପୋଲିସ ଏହାର ଟେର ମଧ୍ୟ ପାଇନଥିଲା । ପରେ ଏହି ମାମଲାକୁ ସିବିଆଇକୁ ଦିଆଯାଇଥିଲା । ସିବିଆଇ ଏହି ମାମଲାର ୨ ବର୍ଷ ଯାଏଁ ଛାନଭିନ କରିବା ସହ ପ୍ରାୟ ୨ ହଜାର ଲୋକଙ୍କୁ ପଚରାଉଚରା କରିଥିଲା । ଏପରିକି ରେଳ କର୍ମଚାରୀଙ୍କ ଠାରୁ ପାର୍ସଲ କମ୍ପାନୀର କର୍ମଚାରୀଙ୍କ ସମସ୍ତଙ୍କୁ ପଚରାଉଚରା କରିବା ପରେ ମଧ୍ୟ କୌଣସି ଫଳ ମିଳିନଥିଲା ।

ତେବେ ସବୁ କ୍ଷେତ୍ରରେ ନିରାଶ ହେବା ପରେ ସ୍ୱେଶାଲ ଟିମ ଲୁଟେରାଙ୍କ ଧରିବା ପାଇଁ ନୂଆ ବ୍ରହ୍ମାସ୍ତ୍ର ସାମ୍ନାକୁ ଆଣିଲା । ଜଣେ ଆଇଟି ଏକ୍ସପର୍ଟଙ୍କ ସହାୟତାରେ ଆରମ୍ଭ ହେଲା ପୁଣିଥରେ ମାମଲାର ଯାଞ୍ଚ । ଆଉ ଏହାପରେ ସିବିଆଇ ଟିମକୁ ମିଳିଥିଲା ପ୍ରଥମ ସୁରାକ । ଲୁଟ୍ ଦିନ ସଲେମରୁ ଚେନ୍ନାଇକୁ ଟ୍ରେନ ଯାଉଥିବା ବେଳେ ଯେତେ ମୋବାଇଲ ନମ୍ବର ଆକ୍ଟିଭ ଥିଲା ତାହା ପୂରା ବିବରଣୀ ବାହାର କରିଥିଲେ ଆଇଟି ଏକ୍ସପର୍ଟ । ଯେଉଁ ତାଲିକାରୁ ୫ଟି ନମ୍ବର ଉପରେ ସନ୍ଦେହ ଜାତ ହୋଇଥିଲା । କାରଣ ଏହି ନମ୍ବର ଗୁଡିକରେ କିଛି ସମାନତା ପାଇଥିଲା ସ୍ପେଶାଲ ଟିମ୍ । ତେବେ ଏହି ନମ୍ବର ଗୁଡିକର ପୂରା ତଥ୍ୟ ଖୋଜିବା ପରେ ଜଣାପଡିଥିଲା ସମସ୍ତ ମୋବାଇଲ ନମ୍ବର ମଧ୍ୟପ୍ରଦେଶର ବୋଲି । ଆଉ ଏଇଠୁ ଆରମ୍ଭ ହୋଇଥିଲା ଲୁଟେରାଙ୍କୁ ଧରିବାକୁ ବଡ ଅପରେସନ ।

ତେବେ ଏହି ବ୍ୟକ୍ତି ମାନେ ହିଁ ଲୁଟେରା ତାହାକୁ ନେଇ ଦ୍ୱନ୍ଦରେ ପଡିଥିଲା ସ୍ୱେଶାଲ ଟିମ୍ । ଆଉ ଏହାପରେ ପ୍ରକୃତ ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ସହାୟତା ନିଆଯାଇଥିଲା । ଆଉ ଲୁଟ ହୋଇଥିବା ଅଞ୍ଚଳର ସାଟେଲାଇଟ ଚିତ୍ର ଦ୍ୱାରା ଚୋର ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା । ଆଉ ଏହି ଚିତ୍ରରୁ ଜଣାପଡିଥିଲା, ସଲେମରୁ ବିରଧାଚଲମ ମଧ୍ୟରେ ହୋଇଥିବା ଟ୍ରେନ ଲୁଟରେ ୧୧ ଜଣ ସମ୍ପୃକ୍ତ ଥିଲେ । ମୋବାଇଲ ନମ୍ବର ଓ ସାଟେଲାଇଟ ଚିତ୍ର ଦ୍ୱାରା ଟ୍ରେନରେ ଲୁଟ କରିଥିବା ଲୁଟେରା ମାନେ ମଧ୍ୟପ୍ରଦେଶ ଓ ବିହାରର ବୋଲି ଜଣାପଡିଥିଲା । ଏସବୁ ଭିତରେ କିଛି ଲୁଟେରାଙ୍କୁ ଧରିବାକୁ ସକ୍ଷମ ହୋଇଛି ପୋଲିସ । କିନ୍ତୁ ଆଉ କିଛି ଲୁଟେରା ଏବେ ମଧ୍ୟ ଫେରାର ଅଛନ୍ତି । ଏବେ ଅପେକ୍ଷା କେମିତି ସମସ୍ତ ଅପରାଧୀ ପୋଲିସ ପଞ୍ଝାକୁ ଆସିବେ । ଆଉ ଏହି ପୂରା ଘଟଣା ଉପରୁ ପରଦା ହଟିବ ।