ବାଟ ହୁଡିଲା ଟ୍ରେନ । ଭୁଲ ଟ୍ରାକରେ ୧୬୦ କିଲୋମିଟର । ମହାରାଷ୍ଟ୍ର ପରିବର୍ତ୍ତେ ପହଞ୍ଚିଲା ମଧ୍ୟପ୍ରଦେଶରେ

36

କନକ ବ୍ୟୁରୋ : ବାଟ ହୁଡିଲା ଟ୍ରେନ । ଭୁଲ ସିଗନାଲ ଯୋଗୁ ମହାରାଷ୍ଟ୍ର ପରିବର୍ତ୍ତେ ପହଂଚିଲା ମଧ୍ୟପ୍ରଦେଶରେ । ରେଳ ବିଭାଗର ଅବହେଳା ଯୋଗୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଭୁଲ ଟ୍ରାକରେ ଯାଇଥିଲା ଟ୍ରେନ । ଦିଲ୍ଲୀରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ ରେଳ ପ୍ରଶାସନର ଅବହେଳା ହେତୁ ୧୬୦କିମି ପର୍ଯ୍ୟନ୍ତ ଭୁଲ ଦିଗରେ ଯାତ୍ରା କରି ମଧ୍ୟପ୍ରଦେଶରେ ପହଞ୍ଚି ଯାଇଥିଲା। ଏ ସମ୍ପର୍କରେ ରେଳ ପ୍ରଶାସନ କିମ୍ବା ରେଳ ଚାଳକ କାହାରିଙ୍କୁ କୌଣସି ସୂଚନା ନ ଥିଲା । ଟ୍ରେନ୍ ଯେତେବେଳେ ବାନମୋର ଷ୍ଟେସନରେ ପହଞ୍ଚି ଥିଲା, ଯେତେବେଳେ ଯାଇ ଡ୍ରାଇଭର ଟ୍ରେନର ରୁଟ ଭୁଲ ଅଛି ବୋଲି ଜାଣିବାକୁ ପାଇଥିଲେ। ରେଳ ପ୍ରଶାସନର ଏଭଳି ଭୁଲ ହେତୁ ଯାତ୍ରୀମାନେ ଏକ ବଡ଼ ଧରଣର ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି।

ରେଳ ପ୍ରଶାସନର ଏଭଳି ଭୁଲ ଓ ଖାମଖିଆଲ ମନୋଭାବ ହେତୁ ୧୦୦୦ରୁ ଊର୍ଧ୍ୱ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଯାତ୍ରୀମାନେ ବାନମୋର ଷ୍ଟେସନରେ ଫସି ଯାଇଥିଲେ । ଏବେ ରେଳ ଅଧିକାରୀମାନେ କ’ଣ କରିବେ, କିପରି ଯାତ୍ରୀମାନଙ୍କ ଏହି ଅସୁବିଧାକୁ ଦୂର କରିବେ ତାହା ଜାଣି ପାରୁ ନାହାନ୍ତି। ୧୦୦୦ରୁ ଊର୍ଧ୍ୱ ଚାଷୀ ମହାରାଷ୍ଟ୍ରରୁ ଦିଲ୍ଲୀର ଯନ୍ତର-ମନ୍ତରରେ ଚାଷୀ ଶୋଭାଯାତ୍ରାରେ ସାମିଲ ହେବାକୁ ଆସିଥିଲେ। ଏହି କାର୍ୟ୍ୟକ୍ରମ ଶେଷ ହେବା ପରେ

ଚାଷୀମାନେ ମହାରାଷ୍ଟ୍ରକୁ ଏହି ଟ୍ରେନରେ ଫେରୁଥିଲେ। ଏମାନଙ୍କ ପାଇଁ ଦିଲ୍ଲୀରୁ ମହାରାଷ୍ଟ୍ର ଯିବାକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ, ଟ୍ରେନକୁ ମଥୁରା ଷ୍ଟେସନରୁ ଭୁଲ ସିଗନାଲ ମିଳିଥିଲା ବୋଲି ଟ୍ରେନ ଡ୍ରାଇଭର କହିଛନ୍ତି। ଯେଉଁଥିପାଇଁ ଟ୍ରେନ ମହାରାଷ୍ଟ୍ର ବଦଳରେ ମଧ୍ୟପ୍ରଦେଶରେ ପହଞ୍ଚି ଥିଲା।କୋଲ୍ଲାପୁର ଯାଉଥିବା ଜଣେ ଯାତ୍ରୀଙ୍କ କହିବାନୁସାରେ, ରେଳ ପ୍ରଶାସନଙ୍କ ଏହି ଅବହେଳା ହେତୁ ଯାତ୍ରୀମାନେ ପାଖାପାଖି ୫ରୁ ୬ଘଣ୍ଟା ପର୍ୟ୍ୟନ୍ତ ମଧ୍ୟପ୍ରଦେଶର ବାନମୋର ଷ୍ଟେସନରେ ଅଟକିବାକୁ ପଡ଼ିଛି।