ବିନା ପାଇଲଟରେ ୧୩ କିଲୋମିଟର ଚାଲିଲା ରେଳ ଇଞ୍ଜିନ ! ଫିଲ୍ମ ଷ୍ଟାଇଲରେ ବାଇକରେ ପିଛା କରି ରେଳ ଇଞ୍ଜିନ ଅଟକାଇଲେ ରେଳ କର୍ମଚାରୀ

59

ଆପଣାଛାଏଁ ଟ୍ରାକରେ ଗଡିଲା ଟ୍ରେନ ଇଞ୍ଜିନ । ବିନା ଲୋକ ପାଇଲଟରେ ପ୍ରାୟ ୧୩ କିଲୋମିଟର ଗଡିଲା ଟ୍ରେନ ଇଞ୍ଜିନ । କିନ୍ତୁ କୌଣସି ଦୁର୍ଘଟଣା ହେବା ପୂର୍ବରୁ ଏହାକୁ ଫିଲ୍ମ ଷ୍ଟାଇଲରେ ଅଟକାଇଲେ ରେଲ ବିଭାଗର ଜଣେ କର୍ମଚାରୀ । ଏଭଳି ଘଟଣା କର୍ଣ୍ଣାଟକର ୱାଡି ଷ୍ଟେସନରେ ଦେଖିବାକୁ ମିଳିଛି ।

ରେଳ ଧାରଣାରେ ଗଡୁଥିଲା ଟ୍ରେନ ଇଞ୍ଜିନ । କିନ୍ତୁ ଏହା ଭିତରେ କୌଣସି ପାଇଲଟ ନଥିଲେ । ବିନା ପାଇଲଟରେ ଟ୍ରେନ ଇଞ୍ଜିନ ଗଡିବା ଦୁର୍ଘଟଣା ଆଶଙ୍କାକୁ ବଢାଇଦେଇଥିଲା । କିନ୍ତୁ ଏହି ସମୟରେ ଫିଲ୍ମ ଅନ୍ଦାଜରେ ସାମ୍ନାକୁ ଆସିଥିଲେ ରେଳ ବିଭାଗର ଜଣେ କର୍ମଚାରୀ । ଟ୍ରାକରେ ବିନା ପାଇଲଟରେ ରେଳ ଇଞ୍ଜିନ ଗଡୁଥିବା ବେଳେ ବାଇକରେ ଏହି କର୍ମଚାରୀ ଜଣକ ଟ୍ରେନ ଇଞ୍ଜିନର ପିଛା କରିଥିଲେ । ତେବେ ଏହା ଭିତରେ ଟ୍ରେନଟି ୧୩ କିଲୋମିଟର ଅତିକ୍ରମ କରି ସାରିଥିଲା । ୧୩ କିଲୋମିଟର ଟ୍ରେନ ଇଞ୍ଜିନ ଯିବା ପରେ ବାଇକରେ ଯାଉଥିବା କର୍ମଚାରୀ ଫିଲ୍ମ ଅନ୍ଦାଜରେ ଚଳନ୍ତା ଟ୍ରେନ ଇଞ୍ଜିନ ଉପରେ ଚଢିଥିଲେ ଏବଂ ଏହାକୁ ରୋକିବାରେ ସଫଳ ମଧ୍ୟ ହୋଇଥିଲେ ।

downloadରେଳ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, କାଲି ଅପରାହ୍ନ ୩ଟା ସମୟରେ ଚେନ୍ନାଇରୁ ମୁମ୍ବାଇକୁ ଯାଉଥିବା ଟ୍ରେନଟି ୱାଡି ଜଙ୍କସନରେ ଅଟକିଥିଲା । ଏଠାରେ ଟ୍ରେନ ବଗିରେ ଡିଜେଲ ଇଞ୍ଜିନ ଯୋଡା ଯିବାକୁ କିଛି ସମୟ ଏହି ଜଙ୍କସନରେ ଅଟକିଥିଲା ଟ୍ରେନ । କାରଣ ୱାଡିରୁ ମହାରାଷ୍ଟ୍ରର ସୋଲାପୁର ପର୍ଯ୍ୟନ୍ତ ବିଦ୍ୟୁତକରଣର ସୁବିଧା ନ ଥିବାରୁ ଏହି ଜଙ୍କସନରେ ନିୟମିତ ଭାବେ ଡିଜେଲ ଇଞ୍ଜିନ ଯୋଡାଯାଇଥାଏ । କିନ୍ତୁ ଗତକାଲି ଡିଜେଲ ଇଞ୍ଜିନ ଯୋଡା ଯିବା ପରେ ଇଲେକଟ୍ରିକ ଇଞ୍ଜିନରୁ ଓହ୍ଲାଇପଡିଥିଲେ ଲୋକ ପାଇଲଟ । ତେବେ ଏହାପରେ ହଠାତ ଟ୍ରାକରେ ଦୌଡିବାକୁ ଆରମ୍ଭ କରିଥିଲା ଇଲେକଟ୍ରୀକ ଇଞ୍ଜିନ । ଟ୍ରେନ ଇଞ୍ଜିନ ଆପଣାଛାଏଁ ଚାଲିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା ।

ତେବେ ବଡ ଦୁର୍ଘଟଣା ହେବା ପୂର୍ବରୁ ଅନ୍ୟ ଷ୍ଟେସନକୁ ଏନେଇ ସୂଚନା ଦେଇଥିଲେ ରେଳ ଅଧିକାରୀ । ଏପରିକି ଦୁର୍ଘଟଣା ଏଡାଇବାକୁ ବିପରୀତ ଦିଗରୁ ଆସୁଥିବା ଟ୍ରେନକୁ ମଧ୍ୟ କିଛି ସମୟ ପାଇଁ ଅଟାକାଇ ଦିଆଯାଇଥିଲା । ଏହି ଇଲେକଟ୍ରିକ ଇଞ୍ଜିନ ୧୩ କିଲୋମିଟର ଟ୍ରାକରେ ଦୌଡିବା ପରେ ନଲବାର ନିକଟରେ ଏହାକୁ ଅଟକାଇଥିଲେ ରେଳ କର୍ମଚାରୀ ।