ସେପଟେ ନୂଆ ରେଳମନ୍ତ୍ରୀଙ୍କ ଶପଥ ଗ୍ରହଣ ଏପଟେ ଟ୍ରାକରୁ ଖସିଲା ଟ୍ରେନ୍ !

38

କନକ ବ୍ୟୁରୋ : ସେପଟେ ଶପଥ ଗ୍ରହଣ ଏପଟେ ଟ୍ରାକରୁ ଖସିଲା ଟ୍ରେନ୍ । ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରିିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇ, ରେଳମନ୍ତ୍ରୀ ଭାବେ ଶପଥ ନେଉଥିଲେ ପିୟୁଷ ଗୋଏଲ ଆଉ ଏପଟେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଲଗାତର ଭାବେ ଟ୍ରେନ୍ ଦୁର୍ଘଟଣା ପାଇଁ ନିକଟରେ ରେଳମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ସୁରେଶ ପ୍ରଭୁ । ଆଉ ନୂଆ ରେଳମନ୍ତ୍ରୀ ଶପଥ ନେବାର ପ୍ରଥମ ଦିନରେ ଘଟିଛି ରେଳ ଦୁର୍ଘଟଣ। । କଟକ ଶିଖରପୁର ଲେଭଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଝାରସୁଗୁଡାର ଧୁତୁରା ଅଂଚଳରୁ ସିମେଂଟ ନେଇ ଏହି ମାଲବାହୀ ଟ୍ରେନଟି କଟକ ଆସୁଥିଲା ।

ଶିଖରପୁର ଛକ ନିକଟରେ ରେଳ ଧାରଣାରେ ତ୍ରୁଟି ଥିବା ଯୋଗୁଁ ଏହି ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ରେଳ ଲାଇନ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାଦାରୀ ସଂସ୍ଥାର ବେପରୁଆ କାର୍ଯ୍ୟ ପାଇଁ ଏହି ନିର୍ଦ୍ଦିଷ୍ଟ ରେଳ ଧାରଣାରେ ଏପରି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ମାଲବାହୀ ଟ୍ରେନ ଯିବାର କିଛି ସମୟ ପରେ ପାସେଂଜର ଟ୍ରେନ ଆସିବାର ଥିଲା । ଯଦି ପ୍ରଥମେ ପାସେଂଜର ଟ୍ରେନ ଆସିଥିଲେ ପୁଣି ଏକ ବଡ ଦୁର୍ଘଟଣା ଘଟିଥାନ୍ତା । ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି । ଘଟଣାର ତଦନ୍ତ କରାଯିବ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି ।