ଆପଣଙ୍କ ଆଧାର ସୁରକ୍ଷିତ ତ? ଟ୍ରାଇ ଚେୟାରମ୍ୟାନଙ୍କ ଦମ୍ଭୋକ୍ତି ଭାଙ୍ଗିଦେଲେ ଫ୍ରାନ୍ସ ଆଇଟି ଏକ୍ସପର୍ଟ, ୧ ଘଣ୍ଟା ମଧ୍ୟରେ ଆଧାର ନମ୍ବରରୁ ଲିକ୍ କଲେ ବ୍ୟକ୍ତିଗତ ତଥ୍ୟ

32

କନକ ବ୍ୟୁରୋ : ସରକାରୀ ଯୋଜନାଗୁଡିକର ଲାଭ ଉଠାଇବାକୁ ହେଲେ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ଏହା ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି, ଯାହାକୁ ନେଇ ବାରମ୍ବାର ଆପତି ହୋଇଆସୁଛି । ବିଶେଷ କରି ବ୍ୟକ୍ତିଗତ ଗୋପନୀୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିବାଦ ଜୋର ଧରିବାରେ ଲାଗିଛି । ଆଉ ଏହାରି ଭିତରେ ଆପଣଙ୍କ ଆଧାର ନମ୍ବର ସାର୍ବଜନୀନ ହେଲେ କେତେବଡ ବିପଦ ସୃଷ୍ଟି ହେବ ତାର ଏକ ନଜିର ସାମ୍ନାକୁ ଆସିଛି । ଯାହା ଆଧାର ଜରିଆରେ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷାକୁ ନେଇ ବଡ ପ୍ରଶ୍ନଚିହ୍ନ ଲଗାଇଦେଇଛି ।

ଆଧାର ନମ୍ବର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରେନାହିଁ ବୋଲି ଦାବି କରିଆସୁଥିବା ଟେଲିକମ ନିୟାମକ କର୍ତୃପକ୍ଷ- ‘ଟ୍ରାଇ’ର ଅଧ୍ୟକ୍ଷ ଆର.ଏସ. ଶର୍ମାଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନିନ କରିଦିଆଯାଇଛି । ଶନିବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ଅପଲୋଡ କରି, କେହି ତାଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ ଟ୍ରାଇ ଅଧ୍ୟକ୍ଷ । ଶର୍ମା ଲେଖିଥିଲେ- ‘ମୋର ଆଧାର ନମ୍ବର ହେଉଛି- ୭୬୨୧୭୭୬୮୨୭୪୦ । ଏବେ ମୁ ତୁମକୁ ଚ୍ୟାଲେଞ୍ଜ ଦେଉଛି, ତୁମେ ମୋର କ’ଣ କ୍ଷତି କରିପାରିବ କରି ଦେଖାଅ ।’

ଟ୍ୱିଟ କରି ଶର୍ମା ଏଭଳି ଚ୍ୟାଲେଞ୍ଜ ଦେବା ପରେ ତାଙ୍କ ପୋଷ୍ଟକୁ ୨ହଜାର ୮ଶହ୫୦ ରି-ଟ୍ୱିଟ କରାଯାଇଥିବାବେଳେ, ୩ହଜାର ୩ଶହ୬୪ ଲାଇକ ମଧ୍ୟ ମିଳିଥିଲା । ତେବେ ଏହାର କିଛି ଘଂଟା ମଧ୍ୟରେ ଫ୍ରାନ୍ସର ଜଣେ ସୂଚନା ଓ ପ୍ରଯୁକ୍ତି ସୁରକ୍ଷା ବିଶେଷଜ୍ଞ ଏଲିଅଟ ଆଲ୍ଡର୍ସନ ତାଙ୍କ ଆହ୍ୱାନକୁ ଗ୍ରହଣ କରି ତାଙ୍କ ସଂପର୍କରେ ସମସ୍ତ ଗୋପନୀୟ ତଥ୍ୟ ହାସଲ କରି ଟ୍ୱିଟରରେ ପୋଷ୍ଟ କରିଥିଲେ । ଯେମିତିକି ତାଙ୍କ ବ୍ୟକ୍ତିଗତ ଠିକଣା, ଜନ୍ମ ତାରିଖ, ଅଲଟରନେଟ ମୋବାଇଲ ନମ୍ବର ଓ ପାନକାର୍ଡ ନମ୍ବର ଇତ୍ୟାଦି । ଏହାପରେ ଆଲ୍ଡର୍ସନ ଲେଖିଥିଲେ-
‘ଲୋକେ ଆପଣଙ୍କ ବ୍ୟକ୍ତିଗତ ଠିକଣା, ଜନ୍ମ ତାରିଖ ଓ ଅଲଟରନେଟ ନମ୍ବର ଜାଣିବାକୁ ସମର୍ଥ । ମୁଁ ଏଇଠି ରହୁଛି, ଆପଣ ବୁଝି ସାରିଥିବେ ଯେ, ଆଧାର ନମ୍ବରକୁ ସାର୍ବଜନୀନ କରିବା କାହିଁକି ସୁରକ୍ଷିତ ନୁହେଁ ।’କେବଳ ସେତିକି ନୁହେଁ ଆଲ୍ଡର୍ସନ ଆହୁରି ଲେଖିଥିଲେ ଯେ, ଏହି ଆଧାର ନମ୍ବର ୯୯୫୮୫୮୭୯୭୭ ମୋବାଇଲ ନମ୍ବର ସହିତ ସଂଯୋଗ ହୋଇଛି । ନ୍ୟାସନାଲ ଇନଫରମେଟିକ୍ସ ସେଂଟର ସର୍କୁଲାର ଅନୁସାରେ ଏହି ନମ୍ବର ଶର୍ମାଙ୍କ ସଚିବଙ୍କ ନାଁରେ ରହିଛି ।

ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ଆଧାର ଆଇନରେ ସଂଶୋଧନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ ବି.ଏନ. ଶ୍ରୀକ୍ରିଷ୍ଣା କମିଟି ନିକଟରେ ସରକାରଙ୍କୁ ସୁପାରିଶ କରିଛି । ଯେମିତିକି ଆଧାର ପରିଚାଳନା କରୁଥିବା ୟୁଆଇଡିଏଆଇକୁ ସ୍ୱାଧୀନ ଭାବେ ନିଷ୍ପତି ନେବାର ଅଧିକାର ଦେବାକୁ କୁହାଯାଇଛି । ଏମିତି ହେଲେ ସୁରକ୍ଷା ନିୟମକୁ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରିବ ୟୁଆଇଡିଏଆଇ । ଟ୍ରାଇ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ତଥ୍ୟ ଚୋରୀ ହେବା ପରେ ସରକାର ଏହି ସୁପାରିଶ ଉପରେ ବିଚାର କରିବେ ବୋଲି ଆଶା କରାଯାଉଛି ।