ଆସିଲାଣି ପାର୍ବଣ, ହୁଗୁଳି ଗଲାଣି ଟ୍ରାଫିକ୍‌ ବ୍ୟବସ୍ଥା : ଭାଙ୍ଗୁନି ଟ୍ରାଫିକ୍‌ ପୁଲିସର ନିଦ

59

କନକ ବ୍ୟୁରୋ: ଆସିଗଲା ପାର୍ବଣ ଋତୁ । ଗତକାଲି ଗଣେଶ ପୂଜା ସରିବା ପରେ ଆଗକୁ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା ଓ ଶେଷରେ କାଳୀପୂଜା । ପାର୍ବଣ ପାଇଁ ଏବେଠାରୁ ରାଜଧାନୀର ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିରେ ଭିଡ଼ ଜମିବା ଆରମ୍ଭ ହୋଇ ଗଲାଣି । ବିଶେଷକରି ସପିଂ ମଲ୍, ମାର୍କେଟ୍ ବିଲ୍ଡିଂ, ୟୁନିଟ-୧ ଓ ୨ ହାଟ, ସହିଦନଗର, ବାପୁଜୀନଗର, ବାଣୀବିହାର, ଖଣ୍ଡଗିରି, କଳ୍ପନା, ଏଜି ଛକ, ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, କଟକରୋଡ ଗୋଲେଇ ଛକ, ପଳାଶୁଣିରୁ ବମିଖାଲ ରାସ୍ତା ଏବଂ ପ୍ରମୁଖ ଛକଗୁଡ଼ିକରେ ଦିନ ଓ ସଂଧ୍ୟା ସମୟରେ ଟ୍ରାଫିକ୍ ଜାମ୍ ହୋଇଯାଉଛି ।

ଗୋଟିଏ ଛକରୁ ଅନ୍ୟ ଏକ ଛକ ପର୍ଯ୍ୟନ୍ତ ଯିବାକୁ ଏତେ ସମୟ ଲାଗୁଛି ଯେ ମନେ ହେଉଛି ଯେମିତି ଟ୍ରାଫିକ୍ ବ୍ୟବସ୍ଥା ରାଜଧାନୀରେ ବିଗିଡ଼ି ଯାଇଛି । କେଉଁଠି ଉଠା ଦୋକାନୀ ଫୁଟପାଥ୍ ମାଡ଼ି ବସିଛନ୍ତି ଆଉ କେଉଁଠି କାର୍ ଓ ବାଇକ୍ ପାର୍କିଂ ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହେଉଛି । ଟ୍ରାଫିକ୍ ନିୟମକୁ ବି ବେଖାତିର କରୁଛନ୍ତି ବାଇକ୍ ଓ କାର ଚାଳକ ।

ଗତ ବର୍ଷ ପୂଜା ସମୟରେ ରାଜଧାନୀ ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ଘଟିଥିଲା । ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହୋଇ ପଡ଼ିଥିଲା । ପୂଜାମଣ୍ଡପଗୁଡ଼ିକ ନିକଟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଜନପଥ, ଜାତୀୟ ରାଜପଥ, କଟକରୋଡରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ପଥଚାରୀ ଓ କାର୍ ଚାଳକମାନେ । କାର୍ ପାର୍କିଂ କରିବାକୁ କେଉଁଠି ଜାଗା ମିଳି ନ ଥିଲା । ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ଦେଖା ଦେଇଥିଲା ।

ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥା ଭୁଶୁଡ଼ି ଯିବାର ପ୍ରମୁଖ କାରଣ ହେଲା ବେଆଇନ୍ ପାର୍କିଂ । ଜନପଥଠାରୁ ଆରମ୍ଭ କରି ବିଦ୍ୟୁତମାର୍ଗ, ସଚିବାଳୟ ମାର୍ଗକୁ ଚଉଡ଼ା କରାଯାଇଥିଲେ ମଧ୍ୟ ଏବେ ବି ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କାରଣରୁ ଟ୍ରାଫିକ୍ ଜାମ ହେଉଛି । ଟ୍ରାଫିକ୍ ପୁଲିସ ସେହି ବେଆଇନ ପାର୍କିଂ ପ୍ରତି ଧ୍ୟାନ ଦେଉ ନାହିଁ । କିନ୍ତୁ କେତେକ ନିର୍ଦିଷ୍ଟ ଛକରେ ପୁଲିସ ଠିଆ ହୋଇ କାର୍ ଚାଳକଙ୍କ ସିଟ୍ ବେଲଟ୍ ଓ ବାଇକ ଚାଳକଙ୍କ ହେଲମେଟ୍ ଚେକିଂରେ ବ୍ୟସ୍ତ ରହୁଛି ।

ପ୍ରତ୍ୟେକ ଛକରେ ଦୁଇ ଜଣ ଟ୍ରାଫିକ୍ କନଷ୍ଟେବଲଙ୍କୁ ଡ୍ୟୁଟି ଦିଆ ଯାଉଛି । କାରଣ ଜଣେ ପୋଷ୍ଟରେ ଠିଆ ହୋଇ ସିଗନାଲ୍ ଦେଉଥିବାବେଳେ ଅନ୍ୟ ଜଣେ ଗାଡ଼ିଗୁଡ଼ିକୁ ସୂଚାରୁ ଢଙ୍ଗରେ ଛାଡ଼ିବା ବ୍ୟବସ୍ଥା କରିବ । କିନ୍ତୁ ଏବେ ବିଭିନ୍ନ ଛକରେ ଦେଖିବାକୁ ମିଳୁଛି, ଜଣେ ଟ୍ରାଫିକ୍ କନେଷ୍ଟବଲ୍ ପୋଷ୍ଟରେ ଥିବାବେଳେ ଅନ୍ୟ ଜଣେ ବାଇକ୍ ଉପରେ ବସି ମୋବାଇଲ୍ ଖେଳରେ ବ୍ୟସ୍ତ ରହୁଛନ୍ତି । ଏମାନଙ୍କ ଉପରେ ଟ୍ରାଫିକ୍ ଇନ୍ସପେକ୍ଟର ଓ ଏସିପିମାନଙ୍କ କର୍ତ୍ତୃତ୍ୱ ରହୁନାହିଁ ।

ସେହିପରି ରାଜଧାନୀର ସଚଳ ଥିବା ଏକାଧିକ ଅଟୋମେଟିକ୍ ଟ୍ରାଫିକ୍ ସିଗନାଲ୍ ପଏଣ୍ଟକୁ ଜାଣିଶୁଣି ଡ୍ୟୁଟି କରୁଥିବା ଟ୍ରାଫିକ୍ କନଷ୍ଟେବଲ୍ମାନେ ବନ୍ଦ କରି ଦେଇଛନ୍ତି । ଗୋଟିଏ ପଟରେ ଥିବା ଗାଡ଼ି ମୋଟର ସଂପୂର୍ଣ୍ଣ ଭାବେ କ୍ଲିଅର ହେବା ପରେ ଅନ୍ୟ ପଟ ଗାଡ଼ିକୁ ଛଡ଼ା ଯାଉଛି । ଯାହା ଫଳରେ ଗାଡ଼ିସବୁ ଲମ୍ବା ଧାଡ଼ି ହୋଇ ଛିଡ଼ା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି ।

ବିଭିନ୍ନ ସପିଂ ମଲ୍, ଜୁଏଲାରି ଦୋକାନ ଓ ବିଶେଷକରି ଜନପଥରେ କେତେକ ନିର୍ଦିଷ୍ଟ ଦୋକାନ ଆଗରେ ୩ ଥାକରେ ବେଆଇନ୍ ପାର୍କିଂ ହେଉଛି । କିନ୍ତୁ ସେମାନଙ୍କର ଟ୍ରାଫିକ୍ ବଡ଼ ବାବୁମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବା କାରଣରୁ ସେଠାରେ ଟ୍ରାଫିକ୍ ପୁଲିସ ଚଢ଼ଉ କରୁନାହିଁ । ରାଜଧାନୀର କଳ୍ପନା ଛକ, ଶିଶୁଭବନ, ମାଉସୀମା, ଖଣ୍ଡଗିରି, ବମିଖାଲ, ଜାଗମରା ଛକରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ବିଭିନ୍ନ ଛକରେ ଲାଗିଥିବା ଟ୍ରାଫିକ୍ ବୁଥ ଓ ପୋଷ୍ଟଗୁଡ଼ିକ ନଷ୍ଟ ହୋଇ ଗଲାଣି। ସେପେଟେ ୬ ଚକିଆ ଗାଡ଼ି ଅବାଧରେ ସହର ଭିତରକୁ ପ୍ରବେଶ କରୁଛନ୍ତି ।

କର୍ମଚାରୀ ଅଭାବର ବାହାନା ଦେଖାଉଥିବା ଟ୍ରାଫିକ୍ ପୁଲିସର ଉଚ୍ଚ ଅଧିକାରୀମାନେ ଥାନା ଛାଡ଼ି କେଉଁ ଆଡ଼େ ଯାଉ ନାହାନ୍ତି । ଯେଉଁ କାରଣରୁ ରାଜଧାନୀରେ ପ୍ରତିଦିନ ୨୦ରୁ ୨୫ଟି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଧନ ଜୀବନ ନଷ୍ଟ ହେଉଛି । କିନ୍ତୁ କମିସନରେଟ୍ ପୁଲିସର ଟ୍ରାଫିକ୍ ବାବୁମାନେ ନିଦାବିଷ୍ଣୁ ସାଜି ବସି ରହିଛନ୍ତି । ଆଗକୁ ପାର୍ବଣ ସମୟ ଆସୁଥିବାରୁ ଏବେଠାରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି ନ କଲେ ପୂଜା ସମୟରେ ଅବସ୍ଥା ଅସମ୍ଭାଳ ହେବ ବୋଲି କୁହାଯାଉଛି ।